ଫେୟାର୍‌ନେସ୍‌ କ୍ରିମ୍‌ ବ୍ୟବହାରରୁ ନାବାଳିକାଙ୍କୁ କିଡନୀ ରୋଗ

ଥିରୁଭାନନ୍ତପୁରମ, ୨୨ା୧୧: ଅନ୍‌ଲାଇନରୁ କିଣାଯାଇଥିବା ପାରଦ ମିଶ୍ରିତ ଫେୟାରନେସ୍‌ କ୍ରିମ ବ୍ୟବହାର କରିବା ପରେ କେରଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କଠାରେ ଗୁରୁତର କିଡ୍‌ନୀ ସମସ୍ୟା ଦେଖାଦେଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ମାଲାପ୍ପୁରମସ୍ଥିତ ଆଷ୍ଟର ମିମ୍ସ ମଦର ହସ୍ପିଟାଲରେ ନାବାଳିକାଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ଶନିବାର କହିଛନ୍ତି, ପରୀକ୍ଷାରୁ ଉକ୍ତ କ୍ରିମରେ ୧୨,୫୦୦ ପିପିଏମ୍‌ ସ୍ତରର ପାରଦ ଥିବା ଜଣାପଡ଼ିଛି, ଯାହା ଅନୁମୋଦିତ ସୀମା (୧ ପିପିଏମରୁ କମ୍‌) ଠାରୁ ବହୁତ ଅଧିକ। ଇନ୍‌ଷ୍ଟାଗ୍ରାମ ଇନଫ୍ଲୁଏନ୍ସରମାନଙ୍କ ପ୍ରଚାରମୂଳକ ଭିଡିଓ ଦେଖିବା ପରେ ନାବାଳିକା ଜଣକ ଏହି କ୍ରିମ କିଣିଥିଲେ। ଭିଡିଓରେ ଦାବି କରାଯାଇଥିଲା ଯେ ଏହି କ୍ରିମ ବ୍ରଣ, କଳା ଦାଗ ଏବଂ ପିଗ୍‌ମେଣ୍ଟେସନ ଦୂର କରିପାରିବ। ପ୍ରାରମ୍ଭିକ ଭାବେ କ୍ରିମ୍‌ଟି ଫଳପ୍ରଦ ମନେ ହେବାରୁ ସେ ଗୋଟିଏ ବର୍ଷ ମଧ୍ୟରେ ଆହୁରି ଅନେକ ବୋତଲ କିଣି ବ୍ୟବହାର କରିଥିଲେ। ଏହାପରେ ତାଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେବା ଆରମ୍ଭ ହୋଇଥିଲା। ହଠାତ୍‌ ରକ୍ତଚାପ ହ୍ରାସ ପାଇବା ଏବଂ ଚେତାଶୂନ୍ୟ ହୋଇଯିବା ଭଳି ଲକ୍ଷଣ ଅନ୍ତର୍ଭୁକ୍ତ ଥିଲା। ଗୋଡ଼ ଫୁଲିଯିବା କାରଣରୁ ତାଙ୍କୁ ଚାଲିବା ଏବଂ ଶିଡ଼ି ଚଢ଼ିବାରେ କଷ୍ଟ ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ନାବାଳିକା ଜଣକ ‘ମେମ୍ୱ୍ରାନସ୍‌ ନେଫ୍ରୋପାଥି’ରେ ଆକ୍ରାନ୍ତ ହୋଇଥିବା ନେଫ୍ରୋଲୋଜିଷ୍ଟ ଡାକ୍ତର ଗୌରୀ ଏସ୍‌ କହିଛନ୍ତି। ଏହା ଏକ ଗୁରୁତର କିଡନୀ ରୋଗ ଏବଂ ଏହା କିଡନୀର ଛାଣିବା ୟୁନିଟ୍‌କୁ ପ୍ରଭାବିତ କରିଥାଏ। ନାବାଳିକାଙ୍କ ପରିବାର ପକ୍ଷରୁ ଖାଉଟି ଅଦାଲତରେ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share