‘କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିଶନ ଦାଖଲ, ଶୁଣାଣି କରିବାକୁ ମନା କଲେ ପ୍ରଧାନ ବିଚାରପତି

ଥିରୁଭାନନ୍ତପୁରମ୍‌,୪।୫: ଫିଲ୍ମ ‘କେରଲା ଷ୍ଟୋରି’ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ତେବେ ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ଜମିୟତ ଉଲେମା-ଏ-ହିନ୍ଦର ଆଇନଜୀବୀ ‘କେରଲା ଷ୍ଟୋରି’ ବିରୋଧରେ ପୁଣି ଥରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। କିନ୍ତୁ ଜମିୟତ ଓକିଲଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।
ଆଇନଜୀବୀ ଦାବି କରିଛନ୍ତି ଯେ, କେରଳ ହାଇକୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରୁନାହାନ୍ତି। ଏହି ଫିଲ୍ମ ଶୁକ୍ରବାର ରିଲିଜ ହେବ, ତେଣୁ ସୁପ୍ରିମକୋର୍ଟ ଗୁରୁବାର ଏହାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏହା ଉପରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହି ମାମଲାରେ ହାଇକୋର୍ଟ ତାଙ୍କର ପ୍ରାରମ୍ଭିକ ମତ ଦେଇଛନ୍ତି। ଯଦି ଏହାକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥାନ୍ତେ, ତେବେ କେବେ ଠୁ ଏହାର ଶୁଣାଣି କରିଥା’ନ୍ତେ। ଆପଣ ବାରମ୍ବାର ଫିଲ୍ମକୁ ନିଷେଧାଦେଶ କରିବାକୁ ଦାବି କରୁଛନ୍ତି, କିନ୍ତୁ ଆପଣ ଏହା ମଧ୍ୟ ଭାବିବା ଉଚିତ ଯେ, ନିର୍ମାତା ଓ ଫିଲ୍ମ ସହ ଜଡିତ ଅନ୍ୟମାନେ ମଧ୍ୟ କଠିନ ପରିଶ୍ରମ କରିଛନ୍ତି। ଯଦି ଆପଣ ଶୀଘ୍ର ଶୁଣାଣି ଚାହୁଁଛନ୍ତି, ତେବେ ହାଇକୋର୍ଟରେ ଏହି ଦାବିକୁ ଉପସ୍ଥାପନା କରନ୍ତୁ।

Share