ଡ୍ରାଇଭର ଜିତିଲେ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ,୭।୭: କେରଳର କୋଲାମ ଜିଲା ଛାଡ଼ି ୨୦୦୮ରେ ସପରିବାର ଦୁବାଇ ଚାଲିଯାଇଥିଲେ ରଞ୍ଜିଥ ସୋମରାଜନ। ସେଠାରେ ସେ ଟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସଂଘର୍ଷ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି। ଶନିବାର ମସ୍‌ଜୀଦରେ ଥିବାବେଳେ ଖବର ପାଇଥିଲେ ଲଟେରି ଜିତି ଯାଇଛନ୍ତି। ଆବୁ ଧାବି ବିଗ୍‌ ଟିକେଟ୍‌ ଡ୍ର’ରେ ପ୍ରଥମ ପୁରସ୍କାର ବାବଦକୁ ୨୦ ନିୟୁତ ଦିରହାମ ଜିତିଛନ୍ତି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା।

ଖଲିଜ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସୋମରାଜନ ଗତ ୩ ବର୍ଷ ହେଲା ଜ୍ୟାକପଟ ଟିକେଟ୍‌ କିଣି ଆସୁଥିଲେ। କଦାପି ଚିନ୍ତା କରି ନ ଥିଲେ ଯେ, ପ୍ରଥମ ପୁରସ୍କାର ଜିତିପାରିବେ। ମୁଁ ସର୍ବଦା ଦ୍ୱିତୀୟ ଓ ତୃତୀୟ ପ୍ରାଇଜ ଜିତିବା ପାଇଁ ଆଶା ରଖିଥିଲି।

”ସ୍ତ୍ରୀ ସଞ୍ଜିବନୀ ପେରେରା ଓ ପୁଅ ନିରଞ୍ଜନଙ୍କୁ ଧରି ମାର୍କେଟ ଯାଉଥିବା ବେଳେ ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ବାଟରେ ମସଜୀଦ ଦେଖିଲି। ମୁଁ ବିଫଳ ହୋଇଥିବା ଭଗବାନଙ୍କୁ ଜଣାଇଥିଲି। କିନ୍ତୁ ମାର୍କେଟ ଯାଉଥିବା ବେଳେ ମୋ ଟିକେଟ ନମ୍ବର ଘୋଷଣା କରାଯାଇଥିଲା। ପ୍ରଥମେ ମୁଁ ବିଶ୍ୱାସ କରିପାରି ନ ଥିଲି। ଇଭେଣ୍ଟର ସିଧାପ୍ରସାରଣ ଦେଖୁଥିବା ମୋ ୮ ବର୍ଷର ପୁଅ ଖୁସିରେ ଚିତ୍କାର କରିଥିଲା। ତା’ ପରେ ପ୍ରଥମ ପୁରସ୍କାର ଜିତିଥିବା ମୋତେ ବିଶ୍ୱାସ ହୋଇଥିଲା“ ବୋଲି ସୋମରାଜନ କହିଛନ୍ତି। ଇଭେଣ୍ଟ ଆୟୋଜକଙ୍କ ପକ୍ଷରୁ ଫେସବୁକରେ ରନଜିଥ ସୋମରଜନଙ୍କୁ ଶୁଭେଚ୍ଛା ଜଣାଯିବା ସହ ତାଙ୍କ ଟିକେଟ୍‌ ନମ୍ବର ପ୍ରକାଶ କରାଯାଇଥିଲା।

Share