କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି ଆପରାଧିକ ଆଇନ ଅନୁଯାୟୀ ନାବାଳକ ବୟସ ସୀମାକୁ ୧୮ରୁ ୧୬ ବର୍ଷକୁ ହ୍ରାସ କରିବା ବିଷୟରେ ବିଧାନସଭା ବିଚାର କରିବା ସମୟ ଆସିଛି ବୋଲି କେରଳ ହାଇକୋର୍ଟ କହିଛନ୍ତି। କୋର୍ଟ ମତ ଦେଇଛନ୍ତି ଯେ ଆଜିକାଲି ପିଲାମାନେ ଏହି ବୟସ ସୁଦ୍ଧା ପରିପକ୍ୱତା ହାସଲ କରିନିଅନ୍ତି । ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିନ୍ଦୁ କୃଷ୍ଣା କହିଛନ୍ତି।
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି କମଲ ପାଶା ଏହାକୁ ସମର୍ଥନ କରିଛନ୍ତି। ସମୟ ସହିତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବା ଉଚିତ। କେରଳ ଅବକାରୀ ଆଇନ ଉଲ୍ଲଂଘନ କରି ୨୩ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ମଦ ପରଷୁଥିବା ଲାଇସେନ୍ସପ୍ରାପ୍ତ ବାର୍ଗୁଡ଼ିକର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ଦାଖଲ ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ଆବେଦନରେ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ଜଣେ ୧୯ ବର୍ଷୀୟ ଯୁବକ ମଦ୍ୟପାନ କରି ମିନି କୁପର ଚଳାଉଥିଲେ ।