Categories: ଜାତୀୟ

‘ଶିଗେଲା’ ଭୟରେ କେରଳ

କୋଝିକୋଡ୍‌, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି ନୂଆ ସଂକ୍ରମଣ। କରୋନା ସହ ‘ଶିଗେଲା’ ନାମକ ଏକ ବ୍ୟାକ୍ଟେରିଆ କବଳରେ ନ ପଡିବାକୁ ଏବେ କେରଳବାସୀ ଆହୁରି ସତର୍କ ହୋଇଛନ୍ତି। କୋଝିକୋଡ ଜିଲାରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଏଥିରେ ମୃତ୍ୟୁ ଘଟିବା ସହ ୬ ଜଣ ସଂକ୍ରମିତ ହେବା ଏବଂ ଅନେକ ସନ୍ଦିଗ୍ଧ ଥିବା ସରକାରଙ୍କୁ ସତର୍କ ରହିବାକୁ ବାଧ୍ୟ କରିଛି।
ବ୍ୟାକ୍ଟେରିଆ ଜନିତ ସଂକ୍ରମଣକୁ ଶିଗେଲୋସିସ୍‌ କୁହାଯାଏ। ଏହି ଜୀବାଣୁ ମୁଖ୍ୟତଃ ମଣିଷ ଅନ୍ତନଳୀକୁ ସଂକ୍ରମିତ କରୁଥିବା ଜଣାଯାଇଛି। ଆକ୍ରାନ୍ତଙ୍କଠାରେ ଜ୍ୱର, ପେଟ ଯନ୍ତ୍ରଣା, ମଳରେ ରକ୍ତ ପଡିବା ଭଳି ଲକ୍ଷଣ ଦେଖାଯାଉଛି। ସାଧାରଣତଃ ବ୍ୟାକ୍ଟେରିଆ କବଳକୁ ଆସିବାର ୭ ଦିନ ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଉଛି। ଛୋଟ ପିଲା ବିଶେଷ କରି ୫ ବର୍ଷରୁ କମ୍‌ ବୟସ ଶିଶୁଙ୍କ କ୍ଷେତ୍ରରେ ଇନ୍‌ଫେକ୍ସନର ମାତ୍ରା ଅଧିକ ପରିମାଣରେ ଦେଖିବାକୁ ମିଳିଛି। ଡାଇରିଆ ସମସ୍ୟା ନେଇ କୋଝିକୋଡ୍‌ ଡାକ୍ତରଖାନା ଆସିଥିବା ଜଣେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ ପରେ ଏହି ଜୀବାଣୁ ସମ୍ପର୍କରେ ଜଣାପଡିଥିଲା।
ଦୂଷିତ ଖାଦ୍ୟ କିମ୍ବା ପାଣିକୁ ସଂକ୍ରମଣର ମୁଖ୍ୟ କାରଣ କୁହାଯାଉଛି। ଜଣଙ୍କଠାରୁ ଅନ୍ୟ ଜଣକୁ ଏହା ସଂକ୍ରମିତ ହେଉଥିବାରୁ କରୋନା ଭଳି ସତର୍କତା ଓ ପରିଷ୍କାର ପରିଚ୍ଛନ୍ନତା ଆପଣାଇବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ସେହିପରି ସଂକ୍ରମିତଙ୍କଠାରୁ ଦୂରତା ରଖିବା, ଭିଡ଼ ସ୍ଥାନକୁ ନ ଯିବା, ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ନମୁନା ପରୀକ୍ଷା କରାଇ ନେବାକୁ କୁହାଯାଉଛି। ତେବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Share