ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି ତାଙ୍କର ୱେଡିଂ ଫଟୋ ଶୁଟ୍ କରିଛନ୍ତି । ଆଉ ଏହି ଫଟୋସବୁ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋସବୁକୁ ଫଟୋଗ୍ରାଫି ଆଥ୍ରେୟା ନାମକ ଇନଷ୍ଟାଗ୍ରୟାମ ୟୁଜର ଶେୟାର କରିଥିବା ଦେଖାଯାଇଛି । ଏହି ଇନଷ୍ଟାଗ୍ରାମ ୟୁଜର କହିଛନ୍ତି ସେ ତାଙ୍କ ଜେଜେ ଓ ଜେଜେମାଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ । ହେଲେ ସେ ସମୟରେ ତାଙ୍କର କୌଣସି ଫଟୋ ଉଠି ନ ଥିବା ସେମାନେ କହିବା ପରେ ଉକ୍ତ ଇନଷ୍ଟାଗ୍ରାମ ୟୁଜର ତାଙ୍କର ୱେଡିଂ ଫଟୋ ଶୁଟ୍ କରିବାକୁ କହିଥିଲେ ଆଉ ଏଥିରେ ବୃଦ୍ଧ ଦମ୍ପତି ରାଜି ହୋଇ ଯାଇଥିଲେ । କେରଳର ଇଡ୍ଡୁକି ଜିଲା ବାସିନ୍ଦା ଚିନ୍ନାମ୍ମା ଓ କୋଚୁକୁଟ୍ଟିଙ୍କ ବିବାହ ୫୮ ବର୍ଷ ତଳେ ହୋଇଥିଲା । ହେଲେ ସେହି ସମୟରେ ତାଙ୍କର କୌଣସି ଫଟୋ ଉଠାଯାଇ ନ ଥିଲା । ହେଲେ କୋଚୁକୁଟ୍ଟ ତାଙ୍କ ୱେଡିଂ ଫଟୋ ଶୁଟ୍ କରିବାକୁ ଚାହୁଁଥିଲେ । ଏହାପରେ ତାଙ୍କ ନାତି ଓ ତାଙ୍କ ସାଙ୍ଗ ମିଶି ଏହି ଦମ୍ପତିଙ୍କ ୱେଡିଂ ଫଟୋ ଶୁଟ୍ କରିଛନ୍ତି । ଫଟୋ ଶୁଟ୍ ପାଇଁ ଭଲ ଲୋକେଶନ୍ ଠିକ୍ କରିବା ସହ ଜେଜେ କଳା ରଙ୍ଗର ଶୁଟ୍ ସହ ଜେଜେମା’ ଧଳା ରଙ୍ଗର ସୁନ୍ଦର ଶାଢି ପିନ୍ଧି ଫଟୋ ଶୁଟ୍ କରିଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ରୋମାନ୍ସ ଓ କେମେଷ୍ଟ୍ରି ଦେଖି ୟୁଜର୍ସ ଏମାନଙ୍କର ଫ୍ୟାନ ପାଲଟି ଯାଇଛନ୍ତି ।

Share