Categories: ଖେଳ

କେରଳ ବ୍ଲାଷ୍ଟର୍ସ ୩-୧ରେ ବିଜୟୀ

ଭୁବନେଶ୍ୱର, ୧୧।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ କେରଳ ବ୍ଲାଷ୍ଟର୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅପରାହ୍ନ ୨ଟାରେ ପିଚ୍‌-୧ରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୩-୧ ଗୋଲରେ ଶିଲଂ ଲାଜଂ ଏଫ୍‌ସିକୁ ପରାସ୍ତ କରିଛି। ଫଳରେ ଦଳକୁ ପୂରା ୩ ପଏଣ୍ଟ ମିଳିଛି। ବିଜୟୀ ଦଳ ପକ୍ଷରୁ ଡବଲ ଗୋଲ ସ୍କୋର କରିଥିବା କ୍ୱାମେ ପେପ୍‌ରା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟରେ ଖେଳିଥିଲା କେରଳ ବ୍ଲାଷ୍ଟର୍ସ। ଏଥିରୁ ଦଳକୁ ଫାଇଦା ମଧ୍ୟ ମିଳିଥିଲା। ୧୫ତମ ମିନିଟରେ କ୍ୱାମେ ପେପ୍‌ରା ଏକ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ବିପଜ୍ଜନକ ଖେଳ ପାଇଁ ୨୪ତମ ମିନିଟରେ ଶିଲଂ ଲାଜଂର ହମେଦମାନଭା ଓ୍ବାଲାଙ୍ଗଙ୍କୁ ରେଫରି ୟେଲୋ କାର୍ଡ ଦେଖାଇଥିଲେ। ଏହାର ୩ ମିନିଟ ପରେ ଅର୍ଥାତ୍‌ ୨୭ତମ ମିନିଟରେ ପେପ୍‌ରା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ। ମାତ୍ର ୩୦ତମ ମିନିଟରେ ଶିଲଂ ଲାଜଂର ରେନାନ ପାନୁଲିନୋ ଡି’ସୁଜା ଗୋଟିଏ ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ବେଳକୁ କେରଳ ଦଳ ୨-୧ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୪୬ତମ ମିନିଟରେ ମହମ୍ମଦ ଅମିନ ଏକ ଗୋଲ ଦେଇ କେରଳ ବ୍ଲାଷ୍ଟର୍ସ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇଥିଲେ। ମ୍ୟାଚ ଶେଷ ପର୍ଯ୍ୟନ୍ତ ଏହି ସ୍କୋର ବଳବତ୍ତର ରହିଥିଲା। ଗୋଲ ପରିଶୋଧ ପାଇଁ ଲାଜଂ ଦଳ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରି ନ ଥିଲା। ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୯୦+୨ ମିନିଟ୍‌ରେ ବ୍ଲାଷ୍ଟର୍ସର ସନ୍ଦୀପ ସିଂ ସୋରାଇଶାମଙ୍କୁ ହଳଦିଆ କାର୍ଡ ମିଳିଥିଲା।

 

ଦର୍ଶକଙ୍କ ପାଇଁ ବ୍ୟବସ୍ଥା

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ଅଧିକାଂଶ ମ୍ୟାଚକୁ ଦର୍ଶକମାନେ ଯେପରି ମାଗଣାରେ ଦେଖି ପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଏଫ୍‌ସିର ୩ଟି ମ୍ୟାଚ, ଡର୍ବି ମ୍ୟାଚ (ମୋହନ ବାଗାନ ସୁପର ଜାଏଣ୍ଟ୍ସ ବନାମ ଇଷ୍ଟ ବେଙ୍ଗଲ) ଏବଂ ୨ଟି ସେମିଫାଇନାଲ ଓ ଫାଇନାଲକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ମ୍ୟାଚ ଦର୍ଶକମାନେ ମାଗଣାରେ ଦେଖି ପାରିବେ ବୋଲି ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି।

Share