ସ୍ମାର୍ଟ ହେଲ୍‌ଥ କାର୍ଡରେ ଯୋଡ଼ିହେଲା କେନ୍ଦୁଝର

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦୁଝର (ସ୍ବ.ପ୍ର./ଡି.ଏନ୍‌.ଏ.), ୧୮।୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଯୋଡ଼ିହୋଇଛି। କେନ୍ଦୁଝର ଜିଲା ସଂସ୍କୃତି ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲଥ୍‌ କାର୍ଡ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇଛି। କେନ୍ଦୁଝର ଜିଲାର ପ୍ରାୟ ୪ ଲକ୍ଷ ୨୦ ହଜାର ପରିବାର ଏହାଦ୍ୱାରା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲା ପାଇଁ ମୋଟ ୧,୪୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
କେନ୍ଦୁଝରକୁ ସମୃଦ୍ଧ ଜିଲା ଭାବେ ଗଢ଼ିତୋଳିବା ସରକାରଙ୍କ ଲକ୍ଷ୍ୟ। ୨୦୨୨ ଡିସେମ୍ବର ସୁଦ୍ଧା ଜିଲାର ସବୁ ଗଁା, ସହର ସମେତ ପ୍ରତି ପରିବାର ପାଖରେ ପାଇପ୍‌ ପାଣି ପହଞ୍ଚତ୍ଛି। ଜନଜାତି ସମ୍ପ୍ରଦାୟର ଲୋକଙ୍କ ରୋଜଗାର ବୃଦ୍ଧି ଲାଗି ରାଜ୍ୟ ସରକାର ୩୬ କୋଟି ଟଙ୍କା ବିନିଯୋଗରେ ମେଗା କୁକୁଡ଼ା ପାଳନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି। ଏହାଦ୍ବାରା ଜନଜାତି ବର୍ଗର ୩୦ ହଜାର ଲୋକ ଉପକୃତ ହେବେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଗରିବ ଲୋକେ ଚିକିତ୍ସା ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଦେଶର ୨୦୦ ବଡ଼ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସମସ୍ତେ ସମ୍ମାନର ସହ ବଞ୍ଚତ୍ବା ଉଚିତ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟ ସରକାର କରୋନା ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ଶିଶୁ ଦିବସରେ ୧୦୦ ରୂପାନ୍ତରିତ ସ୍କୁଲ ଲୋକାର୍ପଣ ହୋଇଛି, ଯାହା ଏକ ରେକର୍ଡ। ପୁଷ୍ଟି ନିରାପତ୍ତା କ୍ଷେତ୍ରରେ କେନ୍ଦୁଝର ଜିଲା ଭଲ ପ୍ରଦର୍ଶନ କରୁଛ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଂ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ଓଡ଼ିଶା ବିକାଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ରାଜ୍ୟର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ।