କେନ୍ଦୁଝର ଟ୍ରକ୍‌ ମାଲିକ ସଂଘ ବିବାଦ: ପୂର୍ବତନ କର୍ମକର୍ତ୍ତାଙ୍କ ଇସ୍ତଫା ଦାବି

କେନ୍ଦୁଝର,୨୯ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି। ଏନେଇ ଅକ୍ଟୋବର ୩୧ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ ଅନଶନ ଜାରି ରହିଛି। ରବିବାର ଟ୍ରକ୍‌ ମାଲିକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘରେ ଚାଲି ଆସୁଥିବା ଅନିୟମିତତା, ଟୋକନ ହେରାଫେରି ଓ ନିର୍ବାଚନ କରିବା ଲାଗି ଉପଦେଷ୍ଟା ମାଗିଥିବା ଏକ ମାସ ସମୟସୀମା ଉପରେ ଆଲୋଚନା ହୋଇଥିଲା। ସଭାରେ ୧୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ମାଲିକ ଓ ନେତୃମଣ୍ଡଳୀ ଉପସ୍ଥିତ ରହି ପୂର୍ବତନ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା ଦାବି କରିଥିଲେ।
ସଂଘର ପୂର୍ବତନ ସମ୍ପାଦକ ପ୍ରଦୀପ ବାରିକ ଆଗାମୀ ଡିସେମ୍ବର ୫ରେ ସଂଘ କାର୍ଯ୍ୟାଳୟ ଘେରାଉ ସହ ଟ୍ରକ୍‌ ମାଲିକମାନେ କିପରି ଶୃଙ୍ଖଳିତ ଗାଡ଼ି ଲୋଡିଂ କରିପାରିବେ ସେଥିପ୍ରତି ଯୁକ୍ତି ବାଢ଼ିଥିଲେ। ସଦସ୍ୟ ଅଶୋକ ମିଶ୍ର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ପୂର୍ବତନ କର୍ମକର୍ତ୍ତାମାନଙ୍କର ଇସ୍ତଫା ଦାବି ସହ ଯଥାଶୀଘ୍ର ନିର୍ବାଚନ କରିିବାକୁ ପ୍ରସ୍ତାବ ଦେଇଥିଲେ।