Categories: ବାଣିଜ୍ୟ

ଭୁବନେଶ୍ୱରରେ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୨।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଓଭିଓ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ୟୁନିଟ୍‌ ତଥା ବ୍ରାଣ୍ଡ୍‌ କେନ୍‌କୋର ପ୍ରଥମ ଏକ୍ସକ୍ଲୁସିଭ ଏଗ୍‌ ଷ୍ଟୋର ଗୁରୁବାର ଭୁବନେଶ୍ୱରର ଆଇଆର୍‌ସି ଭିଲେଜ ହାଇସ୍କୁଲ ରୋଡ୍‌ରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି। ଭୁବନେଶ୍ୱରରେ ବ୍ରାଣ୍ଡ୍‌ର ପ୍ରଥମ ତଥା ସର୍ବବୃହତ୍‌ ଆଉଟ୍‌ଲେଟ ‘କେନ୍‌କୋ ଏଗ୍‌ଷ୍ଟ୍ରା’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଭିଓ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା କେନ୍‌କୋ ଏଗ୍‌ଷ୍ଟ୍ରାର ମୁଖ୍ୟ ସୌମେନ୍ଦ୍ର ମିଶ୍ରଙ୍କ ସମେତ ଉଭୟ କମ୍ପାନୀ ଓ ବ୍ରାଣ୍ଡ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୧୦୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ଗଢି ଉଠିଥିବା ଉକ୍ତ ଷ୍ଟୋରରେ କେନ୍‌କୋର ନୂତନ ଉତ୍ପାଦ ଯଥା ଅଣ୍ଡା, କ୍ଷୀର ଓ ପାଉରୁଟି (ଫ୍ରେସ୍‌ ବ୍ରେଡ୍‌) ଭଳି ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ପ୍ରାଥମିକ ପର୍ଯ୍ୟାୟରେ ଉପଲବ୍ଧ ହେବ।
ଏ ସମ୍ପର୍କରେ ଓଭିଓ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା କେନ୍‌କୋ ଏଗ୍‌ଷ୍ଟ୍ରାର ମୁଖ୍ୟ ସୌମେନ୍ଦ୍ର ମିଶ୍ର କହିଛନ୍ତି, ବ୍ରାଣ୍ଡ୍‌ ପ୍ରମୁଖ ଉତ୍ପାଦ ଏଗ୍‌ (ଅଣ୍ଡା) ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମିଳିବ। ବିଶେଷକରି ଗୁଣାତ୍ମକ ମାନର ଅଣ୍ଡା ଗ୍ରାହକଙ୍କୁ ଯୋଗାଇବା ସହ ଅଣ୍ଡାର ବିସ୍ତୃତ ସୂଚନା ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସାଙ୍ଗକୁ ଗ୍ରାହକ ଅଣ୍ଡା ପ୍ୟାକେଟରେ ଦିଆଯାଇଥିବା ଏକ ସ୍ବତନ୍ତ୍ର କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ସମସ୍ତ ଅତ୍ୟାବଶ୍ୟକ ସୂଚନା ପାଇପାରିବେ। ଏପରିକି ବ୍ରାଣ୍ଡ୍‌ ଆଗାମୀ ଦିନରେ ଉକ୍ତ ଷ୍ଟୋର ଜରିଆରେ ଅନ୍ୟାନ୍ୟ ଉତ୍ପାଦ ଗ୍ରାହକମାନଙ୍କୁ ଯୋଗାଇଦେବ। ସେହିଭଳି ପର୍ଯ୍ୟାୟକ୍ରମେ ଷ୍ଟୋରର ସମ୍ପ୍ରସାରଣ ଓ ବ୍ୟବସାୟ ବୃଦ୍ଧି ପାଇଁ ବ୍ୟାପକ ଯୋଜନା କରାଯାଉଛି ବୋଲି ସେ ମତପ୍ରକାଶ କରିଥିଲେ।

Share