Categories: ଜାତୀୟ

କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା

ନୂଆଦିଲ୍ଲୀ,୨୨।୩: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା ହୋଇଛି। ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ ଏହି ମୁଝାମଣାରେ ସ୍ବାକ୍ଷର କରିଛନ୍ତି। ଏହାଦ୍ୱାରା ବୁନ୍ଦେଲଖଣ୍ଡରେ ଜଳ ସଙ୍କଟ ଦୂର ହୋଇପାରିବ। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଧ୍ୟପ୍ରଦେଶ ଜନସାଧାରଣଙ୍କ ଜଳ ସଙ୍କଟ ଦୂର ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସ୍ବପ୍ନ ଦେଖିଥିଲେ। ଏବେ ଏହା ସତ୍ୟରେ ପରିଣତ ହୋଇଛି। ଏହି ବୁଝାମଣା ଦ୍ୱାରା ମଧ୍ୟପ୍ରଦେଶର ପାନ୍ନା, ଟିକମଗଡ଼, ଛତାରପୁର, ସାଗର, ଦାମୋହ, ଦାତିଆ, ବିଦିଶା, ଶିବପୁରୀ ଏବଂ ରାଇସେନ ଆଦି ଜିଲାର ଜନସାଧାରଣଙ୍କର ଜଳ କଷ୍ଟ ଦୂର ହୋଇପାରିବ। ସେହିପରି ଉତ୍ତରପ୍ରଦେଶର ବଣ୍ଡା, ମାହୋବା, ଝାନ୍ସୀ ଏବଂ ଲଲିତପୁର ଆଦି ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ। ଏଥିପାଇଁ ୪୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ୯୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ। ମଧ୍ୟପ୍ରଦେଶର କେନ୍‌ ନଦୀ ଏବଂ ଉତ୍ତରପ୍ରଦେଶର ବେଟଓ୍ବା ନଦୀ ମଧ୍ୟରେ ଲିଙ୍କ୍‌ କରାଯିବ। ଜାତୀୟ ନଦୀ ବିକାଶ ଏଜେନ୍ସି ପକ୍ଷରୁ ଦେଶର ୩୦ଟି ନଦୀ ମଧ୍ୟରେ ସଂଯୋଗ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଅନ୍ତର୍ଗତ କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା ସମ୍ପନ୍ନ ହୋଇଛି।

Share