Categories: ଜାତୀୟ

କେଜ୍ରିଓ୍ବାଲଙ୍କ ମିଶନ ପଞ୍ଜାବ, ସମସ୍ତଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟସେବା…

ଚଣ୍ଡିଗଡ଼,୩୦।୯: ପଞ୍ଜାବରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତି ଜାରି ରଖିଛି। ମିଶନ ପଞ୍ଜାବ ଅନ୍ତର୍ଗତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିଓ୍ବାଲ କହିଛନ୍ତି ଯେ, ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

ରାଜ୍ୟରେ ଆଧୁନିକ ସ୍ବାସ୍ଥ୍ୟ ସେବା ଯୋଗାଇବା ଏଏପିର ପ୍ରାଥମିକତା ହେବ। ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଦିଲ୍ଲୀ ଭଳି ପଞ୍ଜାବର ପ୍ରତି ଗଳିକନ୍ଦିରେ ମହୋଲ୍ଲା କ୍ଲିନିକ୍‌ ବା ପିଣ୍ଡ କ୍ଲିନିକ୍‌ ଖୋଲାଯିବ। ରାଜ୍ୟରେ ୧୬ ହଜାର ଏଭଳି କ୍ଲିନିକ୍‌ ସ୍ଥାପନ ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଏହା ସହିତ ରାଜ୍ୟର ପ୍ରତି ଲୋକଙ୍କୁ ହେଲଥ୍‌ କୋଡ୍‌ ମଧ୍ୟ ପ୍ରଦାନ କରାଯିବା ସହ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସେହିପରି ସମସ୍ତ ସରକାରୀ ହସ୍ପିଟାଲରେ ଏୟାରକଣ୍ଡିଶନର ସ୍ଥାପନ କରାଯିବା ସହିତ ନୂଆ ହସ୍ପିଟାଲ ଖୋଲାଯିବ ବୋଲି କ୍ରେଜିଓ୍ବାଲ କହିଛନ୍ତି।

ରାଜ୍ୟରେ ଏଏପି କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନର ଉତ୍ତରରେ କେଜ୍ରିଓ୍ବାଲ କହିଛନ୍ତି ଯେ, ଜଣେ ସବୁଠାରୁ ଭଲ ନେତାଙ୍କୁ ଏହି ପଦବୀ ମିଳିବ। ଏହି ଅବସରରେ ସେ ଉପସ୍ଥିତ ଥିବା ଏଏପିର ଏମ୍‌ପି ଭଗଓ୍ବନ୍ତ ମାନ୍‌ଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ।

Share