Categories: ଜାତୀୟ

ଦିଲ୍ଲୀରେ ଅପରେଶନ୍‌ ‘ଲୋଟସ୍‌’ ବିଫଳ: ଏଏପିକୁ ଭାଙ୍ଗିବାକୁ ଭାଜପାର ସିବିଆଇ-ଇଡିର ଛାଟ

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀରେ ଏକ୍ସାଇଜ୍‌ ସ୍କାମ୍‌ ମାମଲାର ଯାଞ୍ଚ ଯେତେ ଆଗକୁ ବଢ଼ୁଛି ଆମ ଆଦମୀ ପାର୍ଟି (ଏଏପି) ଓ ଭାଜପା ମଧ୍ୟରେ ବିବାଦ ଆହୁରି ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ଦାବି କରିଛନ୍ତି। ରାଜଧାନୀରେ ଭାଜପାର ଅପରେଶନ୍‌ ଲୋଟସ୍‌ ବିଫଳ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦିଲ୍ଲୀରେ ସରକାର ଭାଙ୍ଗିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି କେଜ୍‌ରିଓ୍ବାଲ ଦାବି କରିଛନ୍ତି। ସୋମବାର କେଜ୍‌ରିଓ୍ବାଲ ଟୁଇଟ କରି ଲେଖିଛନ୍ତି ଯେ, ଦିଲ୍ଲୀରେ ଅପରେଶନ୍‌ ଲୋଟସ୍‌ ବିଫଳ ହୋଇଛି। ଏହାର ଅର୍ଥ ହେଉଛି ସିବିଆଇ ଓ ଇଡିର ଚଢ଼ାଉ ସହିତ ଏକ୍ସାଇଜ୍‌ ସ୍କାମ୍‌ ଓ ଦୁର୍ନୀତିର କୌଣସି ସମ୍ପର୍କ ନାହିଁ। ଏହି ଚଢ଼ାଉ କେବଳ ଦିଲ୍ଲରେ ଏଏପି ସରକାର ଭାଙ୍ଗିବା ପାଇଁ ଯୋଜନା କରାଯାଇଥିଲା। ଯେଉଁଭଳି ସେମାନେ ଅନ୍ୟ ରାଜ୍ୟରେ ବି କରିସାରିଛନ୍ତି। ବର୍ତ୍ତମାନ କେଜ୍‌ରିଓ୍ବାଲଙ୍କ ଏହି ବୟାନକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି କାରଣ ସୋମବାର ଉପମୁଖ୍ୟମନ୍ତୀ ମନୀଷ ସିସୋଡିଆ ପ୍ରଥମେ ଏକ ବଡ଼ ଅଭିଯୋଗ ଆଣିଥିଲେ। ସେ କହିଛନ୍ତି ଯେ, ଭାଜପା ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ତାଙ୍କୁ ଅଫର ଦେଇଥିଲା। କେବଳ ସେତିକି ନୁହେଁ, ଦଳ ଭାଙ୍ଗିଲେ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନିଆଯିବ ବୋଲ ମନୀଷ ସିସୋଡିଆ କହିଛନ୍ତି।

Share