Categories: ଜାତୀୟ

ଉପରାଜ୍ୟପାଳଙ୍କ ବିରୋଧରେ କେଜରିଓ୍ବାଲ ରାସ୍ତାରେ କଲେ ପ୍ରଦର୍ଶନ…

ନୂଆଦିଲ୍ଲୀ,୧୬।୧ : ଶେଷ ହେବା ପରିବର୍ତ୍ତେ ଦିଲ୍ଲୀର କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ପ୍ରଥମେ ବିଧାନସଭାରେ ଆମ ଆଦମୀ ପାର୍ଟିର ବିଧାୟକମାନେ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ ଏବଂ ପରେ ତାଙ୍କ ବାସଭବନକୁ ଘେରାଉ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ରାସ୍ତାକୁ ଆସି ରାଜ୍ୟପାଳଙ୍କ ବିରୋଧରେ ଅନେକ ଅଭିଯୋଗ କରି ପ୍ରଦର୍ଶନ କରିଥିଲେ। ସେ କହିଛନ୍ତି ଯେ ଉପରାଜ୍ୟପାଳ ଦିଲ୍ଲୀର ପିଲାମାନଙ୍କର ଭଲ ଶିକ୍ଷା ବନ୍ଦ କରିବାକୁ ଚାହୁଁଛନ୍ତି।

ଦିଲ୍ଲୀର ଶିକ୍ଷକମାନଙ୍କୁ ତାଲିମ ଲାଗି ବିଦେଶ ଯିବାକୁ ରୋକୁଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭ ହେବା ସହିତ ଆମ ଆଦମୀ ପାର୍ଟି (ଏଏପି) ବିଧାୟକମାନେ ପୁଣି ଥରେ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ସରକାରଙ୍କ କାର୍ଯ୍ୟ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଉପରାଜ୍ୟପାଳଙ୍କ ବିରୋଧରେ ହିଟଲର ଶାସନ ଚଳିବ ନାହିଁ ସ୍ଲୋଗାନ ଦିଆଯାଇଥିଲା। ହାତରେ ପୋଷ୍ଟର-ବ୍ୟାନର ଥିବା ବିଧାୟକମାନେ ବେଲରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ। ଗୃହର ପ୍ରକ୍ରିୟା ପ୍ରଥମେ ୧୦ ମିନିଟ ଏବଂ ପରେ ଅଧ ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ପଡିଥିଲା । ତୃତୀୟ ଥର ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ମଧ୍ୟ ଉତ୍ତେଜନା ବନ୍ଦ ହୋଇ ନ ଥିଲା, ତା’ପରେ ଗୃହର କାର୍ଯ୍ୟକୁ ଦିନସାରା ପାଇଁ ସ୍ଥଗିତ ରଖାଯାଇଥିଲା।

କେଜାରିୱାଲ କହିଛନ୍ତି ଯେ ଆମେ ପ୍ରଶିକ୍ଷଣ ପାଇଁ ଫିନଲାଣ୍ଡକୁ ଶିକ୍ଷକ ପଠାଇବାକୁ ଚାହୁଁଛୁ। କିନ୍ତୁ ଉପରାଜ୍ୟପାଳ କହିଛନ୍ତି ଯେ ତାଙ୍କୁ କେବଳ ଭାରତରେ ତାଲିମ ଦିଆଯାଉ। କେଜରିୱାଲ କହିଛନ୍ତି ଯେ ଉପରାଜ୍ୟପାଳ ସୁପ୍ରିମକୋର୍ଟଙ୍କୁ ମାନୁ ନାହାନ୍ତି।

Share