ଦୀପାବଳିରେ ବାଣ ନ ଫୁଟାଇ ଲକ୍ଷ୍ମୀପୂଜା କରିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଚଳିତ ଥର ଦିଲ୍ଲୀ ସରକାର ଜନତାଙ୍କ ସହ ମିଶି ଦୀପାବଳି ମନାଇବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ନଭେମ୍ବର ୧୪ ତାରିଖରେ ସନ୍ଧ୍ୟା ୭ଟା ୩୯ରେ ନିଜ ମନ୍ତ୍ରୀମାନଙ୍କ ସହ ମିଶି ଏକ ସ୍ଥାନରେ କେଜରିଓ୍ବାଲ ଲକ୍ଷ୍ମୀପୂଜା କରିବେ ଏବଂ ଏହାକୁ ଟିଭିରେ ସିଧା ପ୍ରସାରଣ କରାଯିବ। ତେଣୁ ଘରେ ବସି ଏହି ପୂଜାରେ ସାମିଲ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କେଜରିଓ୍ବାଲ। ସୂଚନାଯୋଗ୍ୟ, ଗୋଟିଏ ପଟେ ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ୁଥିବା ବେଳେ ଅନ୍ୟପଟେ ରାଜ୍ୟରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

Share