ନବୀନଙ୍କ ଉପରେ ନଜର

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବୁଧବାର ବିଭିନ୍ନ ରାଜ୍ୟର ରିଟର୍ନିଂ ଅଫିସରମାନେ ବିଜ୍ଞପ୍ତି ପ୍ରକାଶ କରିବେ। ଜୁନ୍‌ ୨୯ରେ ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ। ୩୦ରେ ଯାଞ୍ଚ ଓ ଜୁଲାଇ ୨ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯିବ। ଆବଶ୍ୟକ ହେଲେ ଜୁଲାଇ ୧୮ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କେଉଁ ରାଜ୍ୟର କେଉଁଠି ଭୋଟ ଗ୍ରହଣ ହେବ ସେନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ପ୍ରସ୍ତୁତ ହେଲେଣି। ତେବେ ବିରୋଧୀ କାହାକୁ ପ୍ରାର୍ଥୀ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିରୋଧୀ ଦଳଗୁଡ଼ିକର ବୈଠକ ଡାକିଛନ୍ତି। ବୈଠକ ପରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ।
ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହାପୂର୍ବରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବ। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଏବେ ଭାଜପା ଜାତୀୟ ନେତୃତ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ୍‌ ଭୋଟ ସଂଖ୍ୟା ୧୦,୯୩,୩୪୭ ହୋଇଥିବା ବେଳେ ଏନ୍‌ଡିଏ ପାଖରେ ଏବେ ଏଥିରୁ ୪୮.୮ ପ୍ରତିଶତ ଭୋଟ୍‌ ରହିଛି। ଏନ୍‌ଡିଏ ପ୍ରାର୍ଥୀ ଜିତିବା ପାଇଁ ୫,୪୬,୬୭୫ ଖଣ୍ଡ ଭୋଟ ଆବଶ୍ୟକ। ତେବେ ଏନ୍‌ଡିଏ ପାଖରେ ପ୍ରାୟ ୧୩ ହଜାର ଭୋଟ (୧.୨%) ଅଭାବ ରହିଛି । ଏହି ଭୋଟ୍‌ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଭାଜପା ଏବେ ନିଜର ସହଯୋଗୀ ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସ ଉପରେ ନିର୍ଭର କରୁଛି।
ତେବେ କେନ୍ଦ୍ରର ଭାଜପା ନେତୃତ୍ୱ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭରସା କରିଛନ୍ତି। ବିଜେଡି ପାଖରେ ଏବେ ୩ ପ୍ରତିଶତ ଭୋଟ ରହିଛି। ଯଦି ବିଜେଡି ସମର୍ଥନ ଦେବ ତେବେ ଏନ୍‌ଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥିୀ ଜିତିବା ଏକପ୍ରକାର ନିଶ୍ଚିତ ହୋଇଯିବ।