Categories: ରାଜ୍ୟ

‘ବିଏସ୍‌କେୱାଇ ଜାଲିଆତି ଉପରେ କଡ଼ା ନଜର ରଖ’

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର କାର୍ଯ୍ୟନ୍ବୟନ ନାମରେ କୌଣସି ପ୍ରକାର ଜାଲିଆତି ବା ଠକାମିର ସମ୍ଭାବନା ଉପରେ କଡ଼ା ନଜର ରଖିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ଉଭୟ ରାଜ୍ୟ ଓ ଜିଲାସ୍ତରରେ କାର୍ଯ୍ୟରତ ବିଏସ୍‌କେୱାଇ ଟିମ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଠକାମି ବିରୋଧରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ୍‌ ଆଇନ ଏବଂ ବିଏସ୍‌କେୱାଇ ପ୍ରବର୍ତ୍ତନ ବ୍ୟବସ୍ଥା ଅନୁସାରେ ଏପରି ଠକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି। ରାଜ୍ୟବାସୀଙ୍କୁ ସାର୍ବଜନୀନ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଏଥିପାଇଁ ଉପଯୁକ୍ତ ଆର୍ଥିକ ଓ ପ୍ରଶାସନ ବ୍ୟବସ୍ଥା ସହ ବିଏସ୍‌କେୱାଇ ଯୋଜନା ଚାଲୁରହିଛି। ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କରାଯାଇଥିବା ସୁବିଧାର ଅପବ୍ୟବହାର ବା ବିଏସ୍‌କେୱାଇ ନାମରେ ଠକେଇକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ। କାର୍ଡ ସମ୍ପର୍କରେ କୌଣସି ସନ୍ଦେହ ବା ପ୍ରଶ୍ନ ଥିଲେ ସିଧାସଳଖ ଟୋଲ-ଫ୍ରି ନମ୍ବର ବା ଜିଲା ସଂଯୋଜକଙ୍କ ସହ ଯୋଗାଯୋଗ କରିବାକୁ ଶାଳିନୀ ପଣ୍ଡିତ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଡ ସମ୍ବନ୍ଧିତ କୌଣସି ସନ୍ଦେହ ବିଷୟ ୧୫୫୩୬୯ ଟୋଲ-ଫ୍ରି ନମ୍ବରକୁ ସିଧାସଳଖ ଜଣାଇଲେ ତାହାର ଠିକ ସମାଧାନ ହେବ। ଲୋକେ ଦେୟମୁକ୍ତ ଚିକିତ୍ସା ପାଇଁ ପସନ୍ଦ ଅନୁସାରେ ତାଲିକାଭୁକ୍ତ ହସ୍ପିଟାଲକୁ ଯିବା ପୂର୍ବରୁ ମଧ୍ୟ ୧୦୪ ନମ୍ବର ମାଧ୍ୟମରେ ପ୍ରାକ୍‌-ଯୋଗାଯୋଗ କରି ବୁଝିପାରିବେ। ଜରୁରୀ ସ୍ଥିତିରେ ସିଧାସଳଖ ହସ୍ପିଟାଲରେ ପହଞ୍ଚତ୍ ସ୍ବାସ୍ଥ୍ୟମିତ୍ରଙ୍କ ସହାୟତା ନେଇପାରିବେ। ବିଏସ୍‌କେୱାଇ ବାବଦରେ ନିଜର ଅଭିଯୋଗ ବା ପ୍ରଶ୍ନ ୧୪୫୪୫କୁ ଜଣାଇପାରିବେ।
ଏହାଛଡ଼ା ଟୁଇଟର ଆକାଉଣ୍ଟ @bskyodisha ବା ଫେସ୍‌ବୁକ୍‌ ଆକାଉଣ୍ଟ bskyodisha ମାଧ୍ୟମରେ ବି କାର୍ଡଧାରୀମାନେ ନିଜର ଅଭିଯୋଗ ଓ ମତାମତ ଜଣାଇପାରିବେ। ଏହିସବୁ ନାଗରିକ-କୈନ୍ଦ୍ରିକ ଯୋଗାଯୋଗ ପଏଣ୍ଟ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶାସନ ସଚିବ ବିଏସ୍‌କେୱାଇ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।