Categories: ଜାତୀୟ

କୃଷକ ଆନ୍ଦୋଳନର ନେତୃତ୍ୱ ନେବେ କେସିଆର୍‌

ହାଇଦ୍ରାବାଦ, ୨୯ା୮: କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ବିରୋଧରେ ପୁଣି ଏକ ଜାତୀୟ ଆନ୍ଦୋଳନ ମୁଣ୍ଡ ଟେକୁଛି। କୃଷି କ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ପ୍ରତି ଗ୍ରାମରୁ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହେବେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କୁ କୃଷକ ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ଅନୁରୋଧ କରାଯିବ। ହାଇଦ୍ରାବାଦରେ ରବିବାର ଅନୁଷ୍ଠିତ ନ୍ୟାଶନାଲ ଫାର୍ମର୍ସ ୟୁନିୟନ ବୈଠକରେ ଏହି ସମ୍ପର୍କିତ ସଂକଳ୍ପନାମା ଗୃହୀତ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ଜାତୀୟ ସ୍ତରର କୃଷକ ନେତାମାନେ କେସିଆର୍‌ଙ୍କ ନେତୃତ୍ୱରେ ନିଜ ଆତ୍ମସମ୍ମାନ ରକ୍ଷା ପାଇଁ ଏକତ୍ରିତ ହେବେ। ଉଭୟ କୃଷକ ଆନ୍ଦୋଳନ ଓ ସଂସଦୀୟ ଉପାୟରେ ଚାଷୀଙ୍କ ଦୁର୍ଦ୍ଦଶା ଓ କୃଷି ସଙ୍କଟ ଦୂର ହୋଇପାରିବ। ଲକ୍ଷ୍ୟ ହାସଲ ପାଇଁ ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ବେଳର ଆନ୍ଦୋଳନକୁ ଆପଣାଇବା ଆବଶ୍ୟକ ବୋଲି କେସିଆର୍‌ କହିଛନ୍ତି। ଏହି ଅବସରରେ ସେ କୃଷକମାନଙ୍କୁ ରାଜନୀତିରେ ସାମିଲ ହୋଇ ନିଜ ସମସ୍ୟା ସମାଧାନ ଲାଗି ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ(ପ୍ରଗତି ଭବନ)ରେ ରବିବାର ଦ୍ୱିତୀୟ ଥର ପାଇଁ ନ୍ୟାଶନାଲ ଫାର୍ମର୍ସ ଆସୋସିଏଶନ ନେତାମାନେ କେସିଆର୍‌ଙ୍କ ଅଧ୍ୟକ୍ଷତାରେ ବୈଠକ କରିଥିଲେ। ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏଥିରେ କେସିଆର୍‌ଙ୍କୁ ଅନୁରୋଧ କରାଯାଇଥିଲା। ପ୍ରକାଶ ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ ଚନ୍ଦ୍ରଶେଖର ରାଓ ବିରୋଧୀ ଦଳଗୁଡ଼ିକୁ ଏକାଠି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ରୂପେ ନିଜକୁ ଉପସ୍ଥାପନ କରିବା ଲାଗି ଉଦ୍ୟମ ଚଳାଇଛନ୍ତି।

Share