ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ ବିବାହକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି । ରିପୋର୍ଟ ଅନୁସାରେ, ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍‌ରେ ବିବାହ ସମାରୋହ ଆୟୋଜନ ହେବ । ଏହି ରାଜକୀୟ ବିବାହରେ ଅନେକ ଭିଆଇପି ଅତିଥି ଯୋଗଦେବାର ସୂଚନା ରହିଛି।

କିଛି ଦିନ ତଳେ କାବ୍ୟାଙ୍କ ବାପା ତଥା ସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ କଲାନିଧି ମାରନ ଏବଂ ତାଙ୍କ ପତ୍ନୀ କାବେରୀ ମାରନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କୁ ବିବାହ ନିମନ୍ତ୍ରଣ ଦେଇଥିଲେ। ଏହାର ଫଟୋ ମୁଖ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ବିବାହ ପାଇଁ ଅତିଥିମାନେ ଗ୍ରୀସ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଅନିରୁଦ୍ଧଙ୍କ ବିବାହରେ ଯୋଗଦେବା ପାଇଁ ସୁପରଷ୍ଟାର ରଜନୀକାନ୍ତ ଗ୍ରୀସ୍‌ ଅଭିମୁଖେ ବାହାରିଛନ୍ତି। ଅନିରୁଦ୍ଧ ତାଙ୍କ ସମ୍ପର୍କୀୟ ହୋଇଥିବା ବେଳେ ରଜନୀକାନ୍ତ ତାଙ୍କ ମଉସା । ଚେନ୍ନାଇ ବିମାନବନ୍ଦରରୁ ରଜନୀକାନ୍ତ ବାହାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଏହାସହ ବିମାନ ଭିତରେ ଫ୍ଲାଇଟ୍‌ କ୍ରୁଙ୍କ ସହ ଫଟୋ ଉଠାଉଥିବା ତାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପଟେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ଏବଂ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କୁ ମଧ୍ୟ ଚେନ୍ନାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଉଭୟ ସୋମବାର ସକାଳେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ସେମାନେ ଗ୍ରୀସ୍‌ ଯିବାର ସମ୍ଭାବନା ରହିଛି। ବିବାହ ସମାରୋହରେ ଯୋଗଦେବା ପାଇଁ ସେମାନେ ଯାଉଥିବା ରିପୋର୍ଟରେ କୁହାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ, ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍‌ରେ ବିବାହ ସମ୍ପର୍କିତ କାର୍ଯ୍ୟକ୍ରମ ହେବ। ତେବେ ବିଦେଶରେ ବିବାହ ଆୟୋଜନ ଓ ଏହାର ତାରିଖ ସମ୍ପର୍କରେ ଅନିରୁଦ୍ଧ କିମ୍ବା କାବ୍ୟାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଅନ୍ୟପଟେ ସୋସିଆଲ ମିଡିଆରେ ଏକ ନିମନ୍ତ୍ରଣ କାର୍ଡ ଭାଇରାଲ୍‌ ହୋଇଥିଲା। ଏଥିରେ ୨୧ ନଭେମ୍ବର ୨୦୨୬ ତାରିଖ ଉଲ୍ଲେଖ ଥିବା ଦାବି କରାଯାଇଥିଲା। ଏହାକୁ ନେଇ ଚେନ୍ନାଇରେ ରିସେପ୍ସନ୍‌ ଆୟୋଜନ ହେବା ଚର୍ଚ୍ଚା ଜୋର୍‌ ଧରିଛି ।

 

Dharitri – Odisha’s No.1 Odia Daily

Share