ହର୍ବାଲ ମେଳାରେ କବିରାଜଙ୍କ ଆୟୁର୍ବେଦ ଚିକିତ୍ସା

ବ୍ରହ୍ମପୁର ଅଫିସ,୨୦ା୩:ଓଡ଼ିଶା ଔଷଧ ବୃକ୍ଷ ପରିଷଦ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ୧୩ତମ ହର୍ବାଲ ମେଳା ଗତ ୧୬ ତାରିଖରୁ ଗୋଷାଣୀନୂଆଗଁା କେସି ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲା ଓ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବୈଦ୍ୟ, ଜଡିବୁଟି ଚିକିତ୍ସକ, ଔଷଧ ପ୍ରସ୍ତୁତ ସଂସ୍ଥା ଯୋଗ ଦେବା ସହ ବିଭିନ୍ନ ଔଷଧୀୟ ଦ୍ରବ୍ୟ ଓ ଗଛ ବିକ୍ରୟ କରାଯାଉଛି। ଏଥିରେ କବିରାଜଙ୍କ ଔଷଧ ଓ ଚିକିତ୍ସାରେ ବହୁ ଲୋକ ଉପଶମ ହେଉଥିବା ଦେଖିବାକୁ ମିଳୁଛି। ଏଥିମଧ୍ୟରୁ କଳାହାଣ୍ଡି ଜିଲା କୋକଡମାଲ ଗ୍ରାମରୁ ଆସିଥିବା କବିରାଜ ସରୋଜ କାନ୍ତ ପ୍ରଧାନଙ୍କ ନିକଟରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଲୋକଙ୍କ ଭିଡ ଜମୁଛି। ସେ ଖାଦ୍ୟ ପ୍ରଣାଳୀଜନିତ ରୋଗ, ରକ୍ତ ପ୍ରଣାଳୀ, ଶ୍ୱାସ ପ୍ରଣାଳୀ, ନିଦ୍ରାନାଶ, କ୍ଷୁଧାନାଶ, ତୃଷାନାଶ, ସ୍ବେଦନାଶ ଭଳି ରୋଗର ଚିକିତ୍ସା କରିଥିବା ଦେଖିବାକୁ ମିଳିଛି। ବିଶେଷ କରି ସ୍ପଣ୍ଡିଲାଇଟସକୁ ଅତି ସହଜରେ ଉପଶମ କରି ପାରୁଛନ୍ତି। ସୋମବାର ଏହି ମେଳା ଉଦ୍‌ଯାପିତ ହେବ ।