ମୁମ୍ବାଇ,୮ା୧୧: ବଲିଉଡ୍ର ଚର୍ଚ୍ଚିତ ଷ୍ଟାର୍ କପଲ୍ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍ । ଦୀର୍ଘ ଦିନ ଧରି ପୁଅର ମୁହଁ ଦେଖାଇ ନଥିବା ଏହି ଦମ୍ପତି ପ୍ରଥମ ଥର ପାଇଁ ଫ୍ୟାନ୍ସଙ୍କ ସହ ନିଜ ପୁଅ ବିହାନଙ୍କ ଫଟୋ ସେୟାର କରିଛନ୍ତି। ପରିବାରର ଏହି ସୁନ୍ଦର ଫଟୋ ସାମ୍ନାକୁ ଆସିବା ପରେ ବିହାନଙ୍କ କ୍ୟୁଟ୍ ଲୁକ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।
କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ସେପ୍ଟେମ୍ବରରେ ନିଜ ପ୍ରେଗ୍ନାନ୍ସି ବିଷୟରେ ଘୋଷଣା କରିଥିଲେ। ଏହାପରେ ୨୦୨୫ ନଭେମ୍ବର ୭ ତାରିଖରେ ପୁଅ ଜନ୍ମ ହୋଇଥିବା ଖବର ଦେଇଥିଲେ । ପୁଅ ଜନ୍ମର ପ୍ରାୟ ଦୁଇ ମାସ ପରେ, ଜାନୁଆରୀ ୭ ତାରିଖରେ ତା’ର ନାମ ବିହାନ ରଖିଥିବା ଜଣାଇଥିଲେ। ତେବେ ଏକ ବର୍ଷ ପରେ ଦୀପାବଳି ଅବସରରେ ଏହି ଷ୍ଟାର୍ କପଲ୍ ପରିବାରର ଏକ ସୁନ୍ଦର ଫଟୋ ସେୟାର କରି ପ୍ରଥମ ଥର ପାଇଁ ପୁଅର ମୁହଁ ଦେଖାଇଛନ୍ତି । ଫଟୋଟି ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ କମେଣ୍ଟରେ ଭରିଯାଇଛି ସୋସିଆଲ ମିଡିଆ।
ସେୟାର ହୋଇଥିବା ଫଟୋରେ କ୍ୟାଟ୍ରିନା ହଳଦିଆ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ଭିକି ଧଳା କୁର୍ତ୍ତା-ପାଇଜାମାରେ ନଜର ଆସିଛନ୍ତି। ସେହିପରି ଛୋଟ ବିହାନ ଧଳା କୁର୍ତ୍ତା-ପାଇଜାମା ସହ ହଳଦିଆ ଜ୍ୟାକେଟ୍ ପିନ୍ଧିଛନ୍ତି । ଫଟୋରେ ବିହାନଙ୍କ ହସହସ ମୁହଁ ସମସ୍ତଙ୍କ ମନ ଜିଣି ନେଇଛି। ଏହି ଫଟୋରେ ଅନନ୍ୟା ପାଣ୍ଡେ, ଶୀତଲ ଠାକୁର, ଶିବାନୀ ଦାଣ୍ଡେକର, ମଲାଇକା ଆରୋରା ଏବଂ ଚିତ୍ରାଙ୍ଗଦା ସିଂଙ୍କ ସମେତ ଅନେକ ସେଲିବ୍ରିଟି କମେଣ୍ଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ କିଛି ପ୍ରଶଂସକ ବିହାନଙ୍କୁ ମା’ କ୍ୟାଟ୍ରିନାଙ୍କ ଭଳି ଦେଖାଯାଉଥିବା କହିଥିବା ବେଳେ ଆଉ କିଛି ତାଙ୍କ ଚେହେରାରେ ବାପା ଭିକିଙ୍କ ଝଲକ ଦେଖିଛନ୍ତି।