୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିଲେ ବାର୍ବି ଡଲ୍‌

ମୁମ୍ବାଇ: ବଲିଉଡ୍‌ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ବ୍ୟାକ୍‌ ଟୁ ବ୍ୟାକ୍‌ ପିଲ୍ମ କରିବା, ନିଜର ସୁନ୍ଦରତା ଓ ଷ୍ଟାଇଲିଷ୍ଟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ଶେୟାର କରୁଥିବା କ୍ୟାଟ୍ରିନା ଶୁକ୍ରବାର ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କ୍ୟାଟ୍ରିନାଙ୍କୁ ଦୀର୍ଘ ୧୮ ବର୍ଷ ଧରି ଲମ୍ବା ଓ କଠିନ ଯାତ୍ରା କରିବାକୁ ପଡ଼ିଥିଲା। ଯେତେବେଳେ କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ସେତେବେଳେ ତାଙ୍କୁ ହିନ୍ଦୀ ଭାଷା କହିବାକୁ ବହୁ ସମସ୍ୟା ହେଉଥିଲା। କିନ୍ତୁ ଆଜି ସେ ହିନ୍ଦୀ ଚଳଚ୍ଚିତ୍ରର ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି। ଆଜିକା ଦିନରେ ସେ ବଲିଉଡ୍‌ର ୩ ଖାନଙ୍କ ସମତେ ବିଗ ବି ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଣବୀର କପୁରଙ୍କ ଭଳି ଶ୍ରେଷ୍ଠ କଳାକାରଙ୍କ ସହ କ୍ୟାଟ୍ରିନା ସିଲଭର ସ୍କ୍ରିନ ଶେୟାର କରିସାରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ବଡ଼ ବଡ଼ ଅଭିନେତା ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ତେବେ ଏଥିରୁ ତାଙ୍କ ଲୋକପ୍ରିୟତା ବିଷୟରେ ସହଜରେ ଅନୁମେୟ କରିହେବ।

ବଲିଉଡ୍‌ରେ ସର୍ବାଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା ହେଉଛନ୍ତି ଅନ୍ୟତମ। ଯିଏ ୪ଥର ଫିଲ୍ମଫେୟାର ନୋମିନେଶନ ପାଇଁ ନୋମିନେଟ୍‌ ହୋଇସାରିଛନ୍ତି। ଅନ୍ୟପଟେ ବଲିଉଡ୍‌ରେ ପାଦ ରଖିବା ପୂର୍ବରୁ କ୍ୟାଟ୍ରିନା ମଡେଲିଂ କରୁଥିଲେ। ଅନେକ ମ୍ୟାଗାଜିନରେ ସେ ନିଜର ବୋଲ୍ଡ ଫଟୋଶୁଟ କରାଇଛନ୍ତି। ବିଭିନ୍ନ ସମୟରେ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ସେ ନିଜର ବୋଲ୍ଡ ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ତେବେ ୧୪ବର୍ଷ ବୟସରୁ ମଡେଲିଂ ଆରମ୍ଭ କରିଥିବା କ୍ୟାଟ୍ରିନା ୨୦୦୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବୁମ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ସେହି ସମୟରେ ଏହି ଫିଲ୍ମକୁ ବିଶେଷ ସଫଳତା ମିଳି ନ ଥିଲା। ଏହି ଫିଲ୍ମରେ ସଫଳତା ନ ମିଳିବାରୁ ସେ ସାଉଥ୍‌ ସିନେମା ପ୍ରତି ନିଜର ରୁଚି ଦେଖାଇଥିଲେ। ୨୦୦୪ରେ ତେଲଗୁ ଫିଲ୍ମ ‘ମଲ୍ଲିସ୍ବରୀ’ରେ ତାଙ୍କର ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ପାଇଁ ସାଉଥ ଇଣ୍ଡଷ୍ଟ୍ରି ତାଙ୍କୁ ୭୫ଲକ୍ଷ ଟଙ୍କା ଦେଇଥିଲା। ଯାହା ସେହି ସମୟରେ ତେଲଗୁ ଫିଲ୍ମରେ ଜଣେ ମହିଳାଙ୍କୁ ଦିଆଯାଉଥିବାର ସର୍ବାଧିକ ରାଶି ରହିଥିଲା। ସେହି ସମୟରେ ସେ ତେଲଗୁ ଫିଲ୍ମର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ଭାବେ ବିବେଚିତ ହୋଇଥିଲେ।

Share