ଜରାଜୀର୍ଣ୍ଣ ଅବସ୍ଥାରେ କଠଉଣୀ ମଠ ପୋଖରୀ

ଜେନାପୁର,୧୪ା୮(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ସହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମ ନିକଟରେ ଥିବା ଶହେବର୍ଷରୁ ଊଦ୍ଧର୍‌ବ କଠଉଣୀ ମଠ ପୋଖରୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅବସ୍ଥାରେ ପଡ଼ିରହିଛି। ଏହି ପୋଖରୀ ମଠର ନୀତିକାନ୍ତି ସହ ଅନ୍ୟ କାର୍ଯ୍ୟରେ ଲାଗିଥାଏ। ୫ ଖଣ୍ଡ ଗାଁର ଲୋକେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ପୋଖରୀରେ ଦଳ ଓ ଅନାବନା ଗଛ ଭର୍ତ୍ତି ହୋଇଥିବାରୁ ତାହା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ସେହିପରି ଅତଡ଼ା ଖସି ପୋଖରୀ ପୋତି ହେବାକୁ ବସିଲାଣି। ଏନେଇ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଗ୍ରାମ ନିକଟସ୍ଥ ୩୦ପୁଟ ପାହାଡ଼ ଉପରେ ଐତିହ୍ୟସମ୍ପନ୍ନ ପ୍ରସିଦ୍ଧ କଠଉଣୀ ମଠ ରହିଛି। ମଠରେ ଶ୍ରୀଗୋପାଲଲାଲ ଜୀଉ ପୂଜା ପାଉଛନ୍ତି। ତେଣୁ ମାନସିକ, ବ୍ରତ, ମୁଣ୍ଡନ, ବିବାହ, ରୁଦ୍ରାଭିଷେକ ଓ ଅନ୍ୟାନ୍ୟ ପୂଜା ପାଇଁ ପ୍ରତିଦିନ ମଠକୁ ଶତାଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ମନ୍ଦିର କାର୍ଯ୍ୟ ସହିତ ଶ୍ରଦ୍ଧାଳୁଙ୍କ ଆବଶ୍ୟକତା ପାଇଁ ପାହାଡ଼ ପାଦଦେଶରେ ମଠର ମୁଖ୍ୟ ପୋଖରୀ ରହିଛି। ଏପରି କି ଚାରଗୋଠ, ବରମୁଣ୍ଡଳୀ, ଭେଜିଗୋଠ, କୃଷ୍ଣଚନ୍ଦ୍ରପୁର, ରାମଚନ୍ଦ୍ରପୁର, ଦାଣ୍ଡଘଟି, ଗୋଡ଼ିପାଟିଆ ଓ ରଘୁନାଥପୁର ଗ୍ରାମର ଲୋକେ ନିୟମିତ ଭାବେ ପୋଖରୀ ପାଣିକୁ ବ୍ୟବହାର କରିଥାନ୍ତି। ହେଲେ ଏସବୁ ଏବେ ବନ୍ଦ ରହିଛି। କଠଉଣୀ ମଠ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆର୍ଥିକ ବର୍ଷ ୨୦୨୧/୨୦୨୨ରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ କୌଣସି କାର୍ଯ୍ୟ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁନରୁଦ୍ଧାର ପାଇଁ ଆସିଥିବା ଟଙ୍କା ବାଟମାରଣା ହୋଇଛି କି ଅନ୍ୟ ବାଟରେ ଖର୍ଚ୍ଚ ହୋଇଛି ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲାପାଳ ତୁରନ୍ତ ଦୃଷ୍ଟି ଦେଇ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦେଖିବାକୁ ଅପେକ୍ଷା କେବେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।