Posted inଫୁରସତ

ମଉସାଙ୍କ ମରିବା ଖୁସିରେ…

ଘନ ମଉସାଙ୍କ ମରଣ ଖବର ଶୁଣି ମନ ମୋର ବିଷିପିତା ହୋଇଗଲା l ଆହା, ଏତେ ସୁନ୍ଦର ଲୋକ…ଏଡ଼େ ବେଗି ଚାଲିଗଲେ! ଭାରି ପରୋପକାରୀ ଲୋକ ଥିଲେ l ସବୁଠୁ ବଡ଼ଗୁଣ ହେଲା, ମା’ – ମାଟି -ମାତୃଭାଷାକୁ ଭାରି ଭଲପାଉଥିଲେ l ଏଇ ସବୁର ସନମାନ ପାଇଁ ପ୍ରାଣପଣେ କାମ କରୁଥିଲେ l

ଚାଷକୁ ବେଉସାକରି ପରିବାର ପୋଷୁଥିଲେ l ଭୋକିଲା ମୁହଁରେ ଆହାର, ବିନା ମୂଲ୍ୟରେ ସାନପିଲାଙ୍କୁ ଓଡ଼ିଆରେ ପଢ଼େଇବା ଜାରି ରଖିଥିଲେ l ନିଜର ଏକମାତ୍ର ପୁଅକୁ ଓଡ଼ିଆ ସରକାରୀ ସ୍କୁଲରେ ଶିକ୍ଷକ କରେଇପାରିଥିବାରୁ ନିଜକୁ ଧନ୍ୟ ମାନୁଥିଲେ l କିନ୍ତୁ ପିଲାଏ ତାଙ୍କଠୁ ଓଡ଼ିଆ ଶିଖି ପାଠ ପଢ଼ିବାକୁ ପ୍ରାଇଭେଟ ଇଂଲିଶ ସ୍କୁଲରେ ଭିଡ଼ହେବା ଦେଖି… ମା’ବାପାଙ୍କ ଆଗ୍ରହ ଅନୁଧ୍ୟାନକରି ଦୁଃଖରେ ଛାତି ଫଟାଉଥିଲେ l ସରକାର ଏଣେ ଯେତେ ମାଗଣା ମଧ୍ୟାହ୍ନଭୋଜନ, ମାଗଣା ପୁସ୍ତକ ବଣ୍ଟନ, ପୋଷାକ ବିତରଣ କରି ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କଲେ ବି, ଓଡ଼ିଆ ସରକାରୀ ବିଦ୍ୟାଳୟରେ ଉପସ୍ଥାନ କମି, ଇଂଲିଶ ମାଧ୍ୟମ ସ୍କୁଲରେ ଲମ୍ବା ଲାଇନ୍‌ ଲାଗୁଥିଲା l

ତାଙ୍କ ଛାତିରେ ଯନ୍ତ୍ରଣା ସେଇଦିନଠୁ ବେଶି ବଢିଲା… ଯେବେ ନିଜପୁଅ ଶାମ, ନିଜେ ଓଡ଼ିଆ ସରକାରୀ ସ୍କୁଲରେ ଶିକ୍ଷକ ଥାଇ ବି ତା’ ପୁଅମାନେ ନିଜ ନାତିକୁ କୋଡ଼ିଏ କିଲୋମିଟର ଦୂର ପ୍ରାଇଭେଟ ଇଂଲିଶ ବିଦ୍ୟାଳୟରେ ଚାଳିଶ ହଜାର ଖରଚ କରି ନାଁ ଲେଖେଇଲା l ମଉସା ପ୍ରତିବାଦ କଲାରୁ ଶାମବାବୁ ବାପା ଉପରେ ଖପାହୋଇ ଗାଳିଦେଇ କହିଲେ… ସେ ମାନ୍ଧାତା ଅମଳ କଥା ଛାଡ଼ l ମୋ ପିଲାକୁ ମାଗଣାଖିଆ ମାଗନ୍ତା ସ୍କୁଲରେ ପଢ଼େଇବିନି କି ମୋ ପ୍ରେଷ୍ଟିଜ ଲିକ କରିବିନି l ପାଠଶାଳା ଏବେ ଭୋଜନଶାଳା ହୋଇ ଶିକ୍ଷାର ଓଜନ କମିଲାଣି l ସେଇଠି ପଢ଼େଇ ତା’ ଭବିଷ୍ୟତ ମାଟି କରିବିନି l

ମଉସା ଭାବୁଥିଲେ କି ଯୁଗ ହେଲାରେ! ଯେମିତି ସରକାରୀ ଡାକ୍ତର ଅନେକ ତାଙ୍କ ପିଲା ପାରିବାର ଚିକିତ୍ସା ପାଇଁ ପ୍ରାଇଭେଟ ନର୍ସିଂ ହୋମକୁ ବେଶି ପସନ୍ଦ କଲାପରି ଆମ ଶିକ୍ଷା ଶିକ୍ଷକମାନଙ୍କ ଅବସ୍ଥା l ଧନ୍ୟ ଧନ୍ୟରେ ବ୍ୟବସ୍ଥା! ନିଜେ ପଢାଉଥିବା ଅନୁଷ୍ଠାନର ଶିକ୍ଷାକୁ ନେଇ ନିଜେ ସନ୍ଦିହାନ!

ହଁ ବା ନ ହବ କେମିତି? ଯେଉଁଠି ଆଜିକାଲିର ପିଲାଏ ଜନମକଲା ମା,
ମମତା ଭରା ମାଟିକି ପିଠିକରି ବାହାରେ ଖଟିବାକୁ ଧାଉଁଛନ୍ତି ବା ବାଧ୍ୟ ହେଉଛନ୍ତି, ସେଇଠି ମାତୃଭାଷା ପ୍ରୀତି ବଢ଼ନ୍ତା କେମିତି? ଦେଶ ଠୁ ବିଦେଶ… ମାତୃଭାଷା ଠୁ ବିଦେଶୀ ଭାଷା ମୋହମାୟା ଜାଲରେ ପଡ଼ିବା… ସୁନ୍ଦର ଫେଶନ ହୋଇଗଲାଣି l ମା’କୁ ଛାଡି ମାଉସୀ ପ୍ରୀତି… ଆଣ୍ଟିଙ୍କ ସ୍ତୁତିରେ ଆକର୍ଷଣ ବଢ଼ିଲାଣି l ହେଲେ ଘନ ମଉସାଙ୍କ ଅଦେଖା ଯନ୍ତ୍ରଣା… ଅନ୍ୟଙ୍କୁ ଅଜଣା l
ଗଲା ଦଶହରା ଛୁଟିରେ ମଉସା ଦେଖାହୋଇ ତାଙ୍କ ବେଦନାକୁ ବଖାଣିଥିଲେ l…. ଜାଣିଛ ପୁଅ! ତେମେ ସିନା କବି-ଲେଖକ… ସରସ୍ବତୀଙ୍କ ଉପାସକ l କିନ୍ତୁ ମା’ ଥରେ ମତେ ସ୍ବପନେଇଲେ l କହିଲେ ଘନରେ! ତୁ ରୋଦନ କଲେ କ’ଣ ହେବ? ବେଳ କାଳ ଯାହା ହେଲାଣି.. ମାତୃଭାଷା ତଳକୁ ତଳକୁ ଯିବ l ଖାଣ୍ଟି ଓଡ଼ିଆ ବିଦ୍ୟାଳୟ ମରି ବିଦେଶିଆ ଢାଞ୍ଚାରେ ପାଠପଢ଼ା ହେବ l ସରଗରେ ଥାଇ ବର୍ଣ୍ଣବୋଧ ଲେଖକ ମଧୁଙ୍କ ଆଖିରୁ ଲୁହଧାର ବହିବ l ମୁଁ ପଚାରିଲି ମା ’ କି ଉପାୟ କଲେ ମୋ ଭାଷା ବଞ୍ଚିବ… ମାତୃଭାଷା ବିଦ୍ୟାଳୟର ଉନ୍ନତି ହେବ ?

ସେ କହିଲେ, ଯଦି ଛୋଟ ବଡ଼ ସବୁ ସରକାରୀ କର୍ମଚାରୀ ତାଙ୍କ ପିଲାଙ୍କୁ ଓଡ଼ିଆ ସରକାରୀ ବିଦ୍ୟାଳୟରେ ପଢ଼େଇବାକୁ କଡ଼ା ଆଇନ ହୋଇ ବାଧ୍ୟ କରାଯିବ…, ସେଇଦିନ ପାଠପଢ଼ାର ଓଜନ ଓ ଉପସ୍ଥାନ ବଢ଼ିବ l ଯେବେ ମାଗଣା ମଧ୍ୟାହ୍ନଭୋଜନ ପାଇଁ ଏତେ ଦରଦ… ତେବେ ଅଲଗା କ୍ୟାଣ୍ଟିନ ଖୋଲିଦଉନ l

ଯଦି ଏମିତି ନ କରିବେ… ତେବେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା… ଶାସ୍ତ୍ର ଭିତରେ ପୋତିହୋଇ କାଳ କାଳକୁ ରହିଯିବ l
ଘନ ମଉସାଙ୍କ ଶବ ପାଖରେ ମୁଁ ଠିଆହୋଇ ସେଦିନ କଥା ଭାବୁଥିଲି… ତାଙ୍କ ମା’ ମାଟି ମାତୃଭାଷା ପ୍ରୀତି କଥା ମନେପକେଇ ଲୁହ ଢାଳୁଥିଲି l ତାଙ୍କ ମରଣ ବିଷୟରେ ଯାହା ଶୁଣିଲି, ଭାରି ମନକଷ୍ଟ କରୁଥିଲି l ଗଲାକାଲି ରାତିରେ କୋଉ ଧନୀ ସାହୁ ସହରୀ ପୁଅ ବରବେଶ ସାଜି ଆମ ଗାଁ ଗାନୁ ଝିଅକୁ ବାହାହେବାକୁ ବିରାଟ ପ୍ରସେସନରେ ହୃଦୟ ଫଟା କାନ ଫଟା କମ୍ପମାନ ଶବ୍ଦଯୁକ୍ତ ଡିଜେ ବାଜା ବଜେଇ ବିଜେକଲେ l ସେଇ ଶବ୍ଦ ଶୁଣି ମଉସା ଯନ୍ତ୍ରଣାରେ ଛାଟିପିଟି ହୋଇ ବିକଳରେ ଛାତିକି ଦି’ ହାତରେ ଘଷୁ ଘଷୁ ଟଳି ପଡିଲେ l ଏ କଥା ଗାଁ ଯୁବକମାନଙ୍କ କାନକୁ ଗଲାପରେ, ସେଇ ଡିଜେ ବାଜାବାଲାଙ୍କୁ ଅଟକେଇ ରଖିଥିଲେ… ଏଇଥିପାଇଁ ଯେ ଘନ ମଉସାପରି ମହତଜନଙ୍କ ଶବ ସସନମାନେ ଶ୍ମଶାନକୁ ଯିବ ବୋଲି l ଖାଲି ଅପେକ୍ଷା କରିଥିଲେ ମଉସାଙ୍କ ପୁଅ ଶାମବାବୁ କେତେବେଳେ ହାତଖୋଲି ମାଲ ଛାଡ଼ିବେ l ମାଲ ବାହୀ ମାଲ ପିଇ ମଡ଼ା ଉଠେଇ ମଶାଣି କି ନେବେ l ତୁଣ୍ଡଖୋଲି କହିସାରିଛନ୍ତି… ଟଙ୍କା ପାଞ୍ଚ ହଜାରରୁ କମ ହେଲେ ମଡ଼ା ଉଠିପାରିବନି l
ସେଇଆ ହେଲା l ସକାଳ ସୂର୍ଯ୍ୟର ଆଦ୍ୟ କିରଣରେ ଗାଁ ସେମୁଣ୍ଡରୁ ବର କନିଆଙ୍କ ଗାଡ଼ି ଶଙ୍ଖ ହୁଳହୁଳି ଧ୍ୱନିରେ ଗାଡି ସହରକୁ ଗଡ଼ିଲାବେଳେ,

ଏମୁଣ୍ଡରୁ ମଉସାଙ୍କ ଶବ କାନ୍ଦ ବୋବାଳି ଶବଦରେ ଡିଜେ ବାଜାର ତାଳେ ତାଳେ ଟୋକାଏ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ଗୀତର ଛନ୍ଦରେ ଛ’ ଖଣ୍ଡି ବାଉଁଶ ରଥରେ ଜୁଇକୁ ମୁହାଁଉଥିଲା l ମୁଁ ନୀରବରେ ଭାବୁଥିଲି.. ଯା ହଉ ଏବେ ବି ମଣିଷପଣିଆ ବଞ୍ଚିଛି… ଡିଜେ ବାଜା ଆଉ ବୋତଲ ପାଣିରେ। ସେ ମଉସା ହୁଅନ୍ତୁ କି ଭାଷା… ଆମକୁ ଉପହାସ କରି କହୁଛି… ସମାଜ କେମିତି ଧ୍ବଂସ ଆଡକୁ ଦ୍ରୁତ ଅଗ୍ରସର ହେଉଛି l ପଚାରିଲେ ଉତ୍ତର ମିଳୁଛି…ଏ ଗୋଟେ ଖୁସି.. ଆ.. ଉ…. l l
– ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?