Posted inଫୁରସତ

ଘୋଡ଼ାମୁହାଁ ପୁଅ

ବିଧିର ବିଧାନ ଏମିତି ଯେ, ନୀତିବାନ ନିଧିମଉସାଙ୍କ ଏକମାତ୍ର ପୁତ୍ରର ବିବାହ ବହୁ ବିଳମ୍ବରେ ଯୋଗାଡ଼ହେଲା ସିନା, କିନ୍ତୁ କ’ଣ ହେବ… ସବୁ ବିଗିଡ଼ିଗଲା l ମଉସା-ମାଉସୀ ଭାରି ଯତ୍ନରେ ପୁଅକୁ ବଢ଼େଇ ପଢ଼େଇ ଯେବେଠୁଁ ଉଚ୍ଚଶିକ୍ଷିତ କରିବାକୁ କୋଳଛଡ଼ା କରେଇ ବଡ଼ ସହରକୁ ଉଡ଼େଇଦେଲେ, ସେବେଠୁ ତା’ର ପୂର୍ବର ଗତିପଥ ବଦଳିଗଲା l ଅବଶ୍ୟ ସେଇଟା ତା’ର ଦୋଷ ନୁହଁ, ସାଙ୍ଗମାନଙ୍କ ଇଚ୍ଛାକୁ ସମ୍ମାନ ଦେଉ ଦେଉ ନିଶାଡ଼ି ହୋଇଯାଇଥିଲା l ମଉସା ସମ୍ପତ୍ତି କମେଇବାରେ ଏତେ ବ୍ୟସ୍ତ ରହୁଥିଲେ ଯେ, ପୁଅର ଗତିବିଧି ଲକ୍ଷ୍ୟ କରିବାକୁ ତର କୋଉଠି ହେଉଥିଲା ! ଖାସ୍‌ ଏଇ ଗୁଣ ପାଇଁ ପୁଅ ବାହାଘର ବିଳମ୍ବର ମୁଖ୍ୟ କାରଣ ଥିଲା l ଶେଷରେ ଏକ ନିପଟରେ ପାତ୍ରୀ ଯୋଗାଡ଼ହେଲା। ବନ୍ଧୁ ନିମନ୍ତ୍ରଣ ଆଦି କାର୍ଯ୍ୟ ଆଗେଇଚାଲିଲା l

ବିଧୁବାବୁ ତା’ର କେଉଁ ସାଙ୍ଗମାନଙ୍କୁ ବରଯାତ୍ରୀ ପାଇଁ ନିମନ୍ତ୍ରଣ କରିବେ, ତାହାର ଗୋଟେ ଲମ୍ବାତାଲିକା ପ୍ରସ୍ତୁତକରି ତା’ଖାସ ସାଙ୍ଗ ବିନୋଦକୁ ଶୁଣାଉଁ ଶୁଣାଉଁ, ଶଙ୍କର ନାଁ ଶୁଣି ବିନୋଦ ନାକଟେକିଲା l
କହିଲା, ଆରେ ସେଇଟାକୁ କିଆଁ ସାଙ୍ଗରେ ନେବୁ? ସିଏ ଗୋଟେ ନିହାତି ବେରସିକ-ଅପଦାର୍ଥ-ଅଯୋଗ୍ୟଟାଏ ! ସାଥିରେ ଗଲେ ଅଯଥା ମୁଣ୍ଡବିନ୍ଧା। ମୋ ସାଙ୍ଗ ହରିଆ ବାହାଘରକୁ ଯାଇଥିଲା ଯେ, ନାଗିନୀ ଗୀତର ମ୍ୟୁଜିକ୍‌ ବାଜି ନାଚଚାଲିଲା ବେଳକୁ -ସିଏ ହରେକୃଷ୍ଣ ହରେରାମ.. ଅଷ୍ଟପ୍ରହରିଆଙ୍କ ପରି ଗାଉଥିଲା ! ସିଏ ପରା ଯୋଉଠିକି ଯିବ, ଅରୁଆ ଡାଲମା ଖୋଜିବ! ବରଯାତ୍ରୀ ସିନା ସେଇମାନେ ଯାଆନ୍ତି.. ଯିଏ ରସିକିଆ ହୋଇଥିବେ, ନାକଯାଏ ନିଶା କରିପାରୁଥିବେ, ଭଲକି ମଟନ-ଚିକିନ-ଚିଙ୍ଗୁଡ଼ି ଗଳାଯାଏ ଗିଳିପାରୁଥିବେ, ଡିଜେବାଜା ତାଳେତାଳେ କମ୍ପମାନ ନାଚ ନାଚି ପାରୁଥିବ, ସେମିତିକା ଷଣ୍ଢମାର୍କା ଭେଣ୍ଡାଦଳ ଗଲେ.. ବାହାଘରରେ ସିନା ମଜା ଆସିବ! ସେଥିପାଇଁ ମୋ ସାଙ୍ଗ ପାକୁଆ ନାଁ ଲେଖ ! ଯେତେ ବୋତଲ ଖୋଲିଲେ ସିଏ ମନା ନ କରି ଗିଲାସ ବଢ଼େଇଦେବ l ନାଚିଲେ -ଗାଁ ଦାଣ୍ଡ ଧୂଳି ଉଡ଼େଇଦେବ l ସେଇଆ ହେଲା l ତା’ରି ଗୁଣ ମିଶିଲା ଭଳିଆ ଶହେ ସରିକି ସାଙ୍ଗ ବାହାଦିନ ବର ସାଥିରେ ବେଶହୋଇ ବାହାରିଲେ l ହେଲେ ବର -ବିଧୁ ମନ ଜମାରୁ ଭଲ ନ ଥିଲା l ତା’ କାରଣ କିଏ ସେ କେଜାଣି ଶଶୁରଘର ଗାଁ ନାଁ ବାଛିବାଛି ଦେଇଥିଲେ ‘କାଣ୍ଡୁଆ ପୁର’ ବୋଲି ! ଛାଡ଼, ସହରରେ ତ ସୁନ୍ଦରୀ ଝିଅ ତା’ ପାଇଁ ମିଳିଲେନି l କେଇଦିନ ଆଉ ବଜରଙ୍ଗୀ କାଛାଭିଡ଼ି, ବାଧ୍ୟରେ ବ୍ରହ୍ମଚାରୀ ହୋଇ ବାଡୁଆ ରହି ବୁଲିଥାନ୍ତା ! ଶେଷରେ ଏଇ ପ୍ରସ୍ତାବରେ ରାଜି ହୋଇଯାଇଥିଲା l

ବରଯାତ୍ରୀଙ୍କ ଚର୍ଚ୍ଚାପାଇଁ ଆଗୁଆ ଆସି କାଣ୍ଡୁଆପୁର ଭେଣ୍ଡିଆମାନେ ଗାଁ ମୁଣ୍ଡ ବରଗଛ ତଳେ ଅପେକ୍ଷା କରିଥିଲେ-ଚର୍ଚ୍ଚା ସରିଲେ ପ୍ରସେସନ ବାହାରିବ ବୋଲି l ବର-ଗାଡ଼ି ସହିତ ବରଯାତ୍ରୀ ଦଳ ପହଞ୍ଚିଗଲେ l ସବୁ ସାଙ୍ଗ ଓହ୍ଲାଇ ଅଲଗା ଗାଡ଼ିରେ ଲଦାହୋଇ ଆସିଥିବା କେତୁଟା କାର୍ଟୁନ-ପେଟିକି ଟେକିନେଲେ l ତା’ ସହିତ ବଡ଼ ପାଣିବୋତଲ ପ୍ୟାକେଟ ଓ ଜରିମୁଣାଭର୍ତ୍ତି ଚାଖଣ ଧରି ଧାଇଁଲେ -ପଡିଆ ପାଖ ଗଡିଆ କୂଳକୁ l ଗଲାବେଳେ ଲାଇଟ, ବାଜାବାଲାଙ୍କୁ ତାଗିଦାକରି କହିଯାଇଥିଲେ ଯେ, ସେମାନେ ନ ଆସିବା ଯାଏଁ ପ୍ରସେସନ ବାହାରିବ ନାହିଁ l ଏଣେ ଅନ୍ୟାନ୍ୟ ବୟସ୍କ ଭଦ୍ର-ଲୋକ ବରଯାତ୍ରୀ ଚା-ଜଳଖିଆ ପାନ ଖାଇ ପ୍ରାୟ ଘଣ୍ଟେକାଳ ଅପେକ୍ଷାକରିବା ଭିତରେ ବିଧୁକୁ ସାଙ୍ଗ ବିନୋଦ ତା’ ମନକଥା ବୁଝି ଥଣ୍ଡାବୋତଲରେ ଯେଉଁ ସ୍ବତନ୍ତ୍ର ପାନୀୟ ପୂରେଇ ମଉସା, ନନା ଇତ୍ୟାଦିଙ୍କ ଉପସ୍ଥିତିରେ ଦି’ ଦି’ଥର ଭଲକି ପିଆଇଦେଇ ଯାଇଥିଲା, ସମସ୍ତେ ଭାବିଲେ.. ସେଇତକ ପୁଅ-ବରର ଭାତ ନ ଖାଇଥିବା ଭୋକିଲା ପେଟ -ଶୁଖିଲା କଣ୍ଠକୁ ବଡ଼ ଉପକାରିଆ ଭିଟାମିନିଆ ପଦାର୍ଥ ବୋଲି l ଶେଷରେ ପ୍ରସେସନ ବାହାରିଲା। କାଣ୍ଡୁଆପୁର ଗାଁର ଭଦ୍ରଲୋକ, କୋଉକାଳୁ ପେଡି ସାଇତାହୋଇ ଶୋଇରହିଥିବା ସଫା ଧୋତି -ଜାମା ପିନ୍ଧି, କାଖରେ ଗୋଟେ କାଳିଆ ହ୍ୟାଣ୍ଡବ୍ୟାଗ ଜାକି, ପାକଲା ନାଲିକୁମ୍ଭ ଗାମୁଛା କାନ୍ଧରେ ପକେଇ ମୁରବିପଣିଆ ଦେଖେଇ, କେତେବେଳେ ଛୋଟମୋଟ ଗାଡ଼ିକୁ ଟ୍ରାଫିକ ପୋଲିସ ବାଗିଆ ହାତହଲେଇ ଯାଅ ଯାଅ କହୁଥାନ୍ତି ତ କେତେବେଳେ ପୁଣି ବର ସହ ପ୍ରସେସନକୁ ଆଗକୁ ନେବାକୁ କହୁଥାନ୍ତି l ହେଲେ ଏ ଟୋକାଦଳ ମ୍ୟୁଜିକବାଲାଙ୍କୁ କହୁଥାନ୍ତି.. ରଖ ! ଆଗ ଆମ ନାଚ ହଉ, ତା’ପରେ ଯିବ l କିଏ ଗୋଟାଏ ରଡ଼ିକରି କହିଲା, ଆରେ ଲଗା ସେ ଗୀତ, ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ! ଏଇକଥା ଶୁଣି ଟେରି ମାଉସୀ କହିଲା- ମଲା, ଆମ ଗୋରୀ ଦୁଆରେ କିଆଁ ବୋତଲ ଭାଙ୍ଗିବ ?

କାହିଁ ତମ ଦୁଆରେ ଭାଙ୍ଗୁନ ? ଗୋଟାଏ ଟୋକା ଝୁଲି ଝୁଲି କହିଲା, ହେ ମାଉସୀ ! ତେମେ କଥାଟା ଜମା ବୁଝୁନା ଆଉ.. l ଆମ ଦୁଆରେ ଭାଙ୍ଗିବୁ କ’ଣ ଜାଣି ଜାଣି ଆମ ଗୋଡ଼ରେ କାଚ ପଶେଇବା ପାଇଁ ? ପୁଳାଏ ଲୋକ ଫେଁ ଫେଁ ହେଇ ହସୁଥିଲାବେଳେ ରସିକିଆ ଟୋକା ଫିଲିମି ଷ୍ଟାଇଲିରେ ଥୋଡ଼ତଳେ ହାତ ଘୋଷା କହୁଥାନ୍ତି.. ପୁଷ୍ପା ଝୁକେଗା ନେହିଁ..! ଏଗୁଡାଦେଖି କାଣ୍ଡୁଆପୁର ଗାଁର ଭେଣ୍ଡିଆଙ୍କ ଦେହ ଜଳିଯାଉଥାଏ l ଏତିକିବେଳକୁ ପାକୁଆ ଆଉ ବିନୋଦ, ରମା-ଖୁଡ଼ୀର କଲେଜପଢୁଆ ଝିଅର ହାତଧରି ଟାଣିନେଇ, ତାଙ୍କ ସାଙ୍ଗରେ ନାଚିବାକୁ ବାଧ୍ୟକରିବା ଦେଖି, ମାଧିଆ-କକେଇଙ୍କ ପୁଅ ସାଧୁଆ ଦେହରେ ଯେମିତି କିଏ ଧାନୁଆଲଙ୍କାବଟା ବୋଳିଦେଲା କି ଆଉ ! ଆରେ! ମୋର ଏକମାତ୍ର ଗର୍ଲଫ୍ରେଣ୍ଡର ହାତଧରି ଟାଣିବ?

ଏ କୁଆଡ଼ୁ ତମେ ଆଇଚ? ଆଛାକରି ପାନେ ଦଉଛି ରୁହ ! କୋଉଠୁ ଆଣିଲା ଗୋଟେ ବିଦେଶୀ ମାଲ ଖାଲିବୋତଲ l ତାକୁ ଶାର୍ଟ ଛାତିଭିତରେ ଲୁଚେଇ ଅଳପ ଦେଖେଇ ଅତି ଭଦ୍ରାମିରେ ଡାକିନେଲା ଦୁଇଜଣଙ୍କୁ, ଗୋଟେ ଫାଙ୍କା ଜାଗାକୁ l ମିଶିକି ପିଇବାର ବାହାନାକରି ଏମିତି ଜାଗାରେ ଠିଆକରେଇ ଆଗପଟୁ ଏମିତିକା ଜୋରରେ ଦି’ ଜଣଙ୍କୁ ଠେଲିଦେଲା ଯେ, ପଛପଟିଆ ପାରାପରି ଓଲଟିପଡ଼ିଲେ l
ରକ୍ଷା ଅଛି ଇଟା-ପଥର ଭଳି ଟାଣୁଆ ଜିନିଷ ନ ଥିଲା l ଥିଲା ଚାନ୍ଦ-ମାଉସୀର ଛଅଫୁଟିଆ ଗଭିର ଗୋବର ଗଦା। ସେଇ ନରମ ଗୋବରଗାଡ଼ିଆରେ ବୁଡ଼ ପକେଇ ପାକୁଆ କହିଲା.. ଆରେ ମକର! ଏଇଟା ମର୍ତ୍ତ୍ୟ ନା ନର୍କପୁର ? ସାଧୁଆ କହିଲା.. ନାଇଁ ଭାଇ, ଏଇଟା ଅତି ପବିତ୍ର ଗୋବର l ଆଃ.. କ’ଣ କଲାରେ ଚଣ୍ଡାଳ! ବଡ଼ କଷ୍ଟରେ ମକର କାନ୍ଧରେ ଭରାଦେଇ ଉଠି ପାକୁଆ, ସାଙ୍ଗ ବିନୋଦ ହାତଧରି ବାହାରକୁ କାଢ଼ିଲା l ଛି ଛି ଛି.. କ’ଣ କଲା ! ଏକାଥରେ ନିଶା ଛଡ଼େଇ ଦେଲା ! ପଚା ଗୋବର ଗନ୍ଧ ଠୁ ଆହୁରି ଦୁର୍ଗନ୍ଧିଆ ଭାଷାର ଗାଳି, ଦୁହିଁଙ୍କ ତୁଣ୍ଡରୁ ଅନର୍ଗଳ ବାହାରୁଥିଲା l ଶୁଣିଥିଲେ… ମନ ନିର୍ମଳଥିଲେ ଗଡ଼ିଆ ଗଙ୍ଗା l ହେଲେ ଏ ଗୋବରଗଡ଼ିଆ କୋଉ ଗଙ୍ଗାସ୍ନାନ ଫଳ ଦେବ, ନା ଆଉ ବରଯାତ୍ରୀଙ୍କ ମେଳରେ ଖୁରାଟେକା ନୃତ୍ୟର ଆନନ୍ଦ ମିଳିବ ?

ସିଆଡ଼େ ପ୍ରସେସନ କନ୍ୟା ଦୁଆରେ ପହଞ୍ଚତ୍ଲା ପରେ ବାଟବରଣୀ ହୋଇ ବରକୁ ଲେଖା-ଯୋଖା ଶାଳକମାନେ କାନ୍ଧରେ ବୋହି ବେଦିମୁହାଁ ନେଲାବେଳେ, କିଏ ଗୋଟେ ସାଙ୍ଗ ଆସି ବିନୋଦ, ପାକୁଆ ବିଷୟରେ ବର କର୍ଣ୍ଣରେ କି ମନ୍ତ୍ର ଫୁଙ୍କିଲା କେଜାଣି, ବସିବାକୁ ଯାଉଥିବା ବିଧୁବାବୁ, ହଠାତ୍‌ ଉଠି ହନୁମନ୍ତିଆ ଉଗ୍ରରୂପ ଧାରଣକରି ପ୍ରଚଣ୍ଡ କ୍ରୋଧରେ ଗର୍ଜନକରି ରଣହୁଙ୍କାର ଦେଲେ l ଅତିପ୍ରିୟ ବଟଲ ଫ୍ରେଣ୍ଡଙ୍କ ଏମନ୍ତ କାଣ୍ଡ ଶୁଣି, କାଣ୍ଡ-ଜ୍ଞାନ ଏମିତି ଉଦ୍ରେକ ହେଲା ଯେ, ଠିକ୍‌ବେଳାରେ ବୋତଲ ମାଲ ତା’ କମାଲ ଦେଖେଇଲା l ମନଭିତରେ ପୋଷାମାନି ଶୋଇଯାଇଥିବା ଭାଷାଗୁଡ଼ା ନନ୍‌-ଷ୍ଟପ୍‌ ବାହାରିଲା ! ବରର ଏମିତି ହନୁ ରୂପରେ ରାବଣଗୁଣ ଓ ଭାଷା-ଭାଷଣ ଶ୍ରବଣକରି ବଧୂବେଶ ଧରିଥିବା ସ୍ବୟଂ କନ୍ୟା-ପାତ୍ରୀ, ତାଙ୍କ ସମ୍ମୁଖରେ ଉଭାହୋଇ ବିଭା କରିବେ ନାହିଁ ବୋଲି ସିଧାସିଧା ମନାକରି ଶୀଘ୍ର ବିଦା ହେବାକୁ ନିର୍ଦ୍ଦେଶ ଦେଲେ l

ବିଚରା ଶିଶୁପାଳ ସାଜି ପିତାଙ୍କ ସହ ବର ଓ଼ଗେର ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କଲାବେଳେ, ନିଧିମଉସା ଭାବୁଥିଲେ ଏ ଦୋଷଦେବେ କାହାକୁ? ଜାତକ ରାଜଯୋଟକରେ ଶୁଝେଇଥିବା ଜ୍ୟୋତିଷଙ୍କୁ, ନା ମଧ୍ୟସ୍ଥଙ୍କୁ, ନା ଆପଣା ଯୋଗ୍ୟ-ନନ୍ଦନଙ୍କୁ, ନା ତା’ ସାଙ୍ଗ ନା ଭାଗ୍ୟକୁ? ଘରେ ପହଞ୍ଚି ଆପଣା ପତ୍ନୀ କି ସବୁ ଘଟଣା ଜଣେଇ, ଲୁହ-କୋହଭରା ହୃଦୟରେ କହୁଥିଲେ…ହାଏରେ କପାଳ! ଅଣଚାଳିଶି ବରଷିଆ ନିଶାଡ଼ିପୁଅକୁ, ବାଡୁଅପାଣିରେ ଗାଧେଇ ବରବେଶ କରି ସେ ଓଥଡା ରହିଲା ନିଜେ, ବରଂ କୋଳରେ ସିଏ ଜନମିଥିଲା.. ଆମ ବଅଁଶ ବୁଡ଼େଇବାକୁ!!
-ମଙ୍ଗରାଜପୁର, ପୁରୀ, ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri