ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ସେହି ଗ୍ରାମର କଷ୍ଟୁ ସାହୁ (୪୩) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୬ଟା ସମୟରେ କଷ୍ଟୁ ଘାଟରୁ ବାହାରି ସାଇକେଲ ଯୋଗେ ଗାଁ ମୁଣ୍ଡକୁ ଯାଉଥିଲେ। ଏହି ସମୟରେ ହଠାତ୍ ଏକ ଜଙ୍ଗଲୀ ବାର୍ହା ତାଙ୍କ ଉପରେ ଆକ୍ରମଣ କରିଥିଲା। ବାର୍ହା ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। କଷ୍ଟୁଙ୍କ ଚିତ୍କାର ଶୁଣି ନିକଟରେ ଥିବା ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଲୋକମାନଙ୍କୁ ଦେଖି ବାର୍ହାଟି ସେଠାରୁ ଦୌଡ଼ି ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା।
ପରେ ପରିବାର ଲୋକେ ଗୁରୁତର ଆହତ କଷ୍ଟୁଙ୍କୁ ଉଦ୍ଧାର କରି ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି I