ହାତଠାରି ଡାକେ କାଶତଣ୍ଡି…

ବିଷମକଟକ,୨୪ା୯(ଡି.ଏନ୍‌.ଏ.): ଶରତ ଆକାଶରେ ଏବେ କାଶତଣ୍ଡୀର ସମ୍ଭାର। ସବୁଜ ଧାନକ୍ଷେତର ହାତଠାରି ଡାକରା ଧରାପୃଷ୍ଠକୁ ମା’ ଜଗଜ୍ଜନନୀ ଦଶଭୁଜାଙ୍କ ଆଗମନର ଦେଲାଣି ସୂଚନା। ମେଘମୁକ୍ତ ଆକାଶରେ ଚହଟିଲାଣି ପରିବେଶ। ଦିଗ୍‌ବଳୟ ଫାଙ୍କରୁ ଓଢ଼ଣା ଟେକି ମୁହଁ ଦେଖାଇଲାଣି ଶୀତ। ପ୍ରତିବର୍ଷ ମା’ ଏହି ପାର୍ବଣ ଋତୁରେ ନିଜ ସନ୍ତାନଙ୍କ ଦୁଃଖ ସୁଖ ବୁଝିବା ପାଇଁ ଧରାପୃଷ୍ଠକୁ ଆସିଥାନ୍ତି। ନିଜ ସନ୍ତାନଙ୍କ ସୁରକ୍ଷା ପାଇଁ ସେ ସାଜିଥିଲେ ମହିଷାସୁର ମର୍ଦ୍ଦିନୀ। ମାଆଙ୍କ ବାହନ ସିଂହ ହୋଇଥିଲେ ମଧ୍ୟ ଅଶ୍ୱ, ନୌକା, ଗଜ, ଶାରୀ ଏହି ୪ଟି ହେଉଛି ମାଆଙ୍କ ମଞ୍ଚକୁ ଆଗମନର ମାଧ୍ୟମ l ତେବେ ପ୍ରତିବର୍ଷ ମାଆ ଏହି ୪ଟି ବାହନରୁ ଗୋଟିଏ ବାହନରେ ବିରାଜିଥାନ୍ତି। ପୂଜାମଣ୍ଡପରେ ମାଆଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନରେ ମନପ୍ରାଣ ଉଲ୍ଲସିତ ହୋଇଯାଏ। ସେହି ମଙ୍ଗଳମୟୀ ମହାଦେବୀଙ୍କ ଶୁଭ ଆଗମନର ବାର୍ତ୍ତା ଦେଉଛି ରାୟଗଡ଼ା ଜିଲା ଦେଇ ପ୍ରବାହିତ ବଂଶଧାରା, ନାଗାବଳୀ ନଈ ପଠା, ରାସ୍ତାକଡ଼, ବିଲ ହୁଡ଼ାରେ ପଡ଼ିଛି ଯେମିତି କାଶତଣ୍ଡୀର ଧବଳବେଣୀ। ଏହାର ସ୍ପର୍ଶରେ ଶାନ୍ତ ସ୍ନିଗ୍ଧ ହୋଇ ପଡିଛି ସମଗ୍ର ଧରା। ଆନନ୍ଦ ମୁଖର ହୋଇ ଉଠୁଛି ସମଗ୍ର ପଲ୍ଲୀ । ଏହି ଆନନ୍ଦର ଅପୂର୍ବ ଧାରା ସାଧାରଣ ଜନଜୀବନ ଯେତିକି ପ୍ରଭାବିତ କରିଛି, କବି, ଲେଖକଟିଏକୁ ମଧ୍ୟ ସେତିକି କରିଛି ଆନମନା। ଲେଖକଟିଏ ତାଙ୍କ ଲେଖନୀରେ କାଶତଣ୍ଡୀର ସ୍ନିଗ୍‌ଧ ମନଲୋଭା ରୂପକୁ ତୋଳି ଧରିଥିବା ବେଳେ ଚିତ୍ରକର ମଧ୍ୟ ଆଙ୍କିବାକୁ ଭୁଲିନାହାନ୍ତି ତାଙ୍କ କନ୍‌ଭାସରେ ରୂପସୀ କାଶତଣ୍ଡୀକୁ।