‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ ତଥା ଅଭିନେତ୍ରୀ କଶ୍ମୀରା ଶାହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। କଶ୍ମୀରା କାହାରି ନାମ ନ ନେଇ ସୋସିଆଲ ମିଡିଆରେ ଏପରି ଏକ ବାର୍ତ୍ତା ସେୟାର କରିଛନ୍ତି, ଯାହାକୁ ସମସ୍ତେ ଗୋବିନ୍ଦାଙ୍କ ପାରିବାରିକ ବିବାଦ ସହ ଯୋଡ଼ି ଦେଖୁଛନ୍ତି।

କଶ୍ମୀରା ଶାହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାଲକୋନିରେ କଫି ପିଉଥିବାର ଏକ ଫଟୋ ସେୟାର କରିବା ସହ ଏକ ଦୀର୍ଘ ଓ କଡ଼ା ମେସେଜ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, “ଜଣେ ‘ମିଷ୍ଟ୍ରି ୱୁମ୍ୟାନ୍’ (ରହସ୍ୟମୟୀ ମହିଳା)କୁ ନେଇ ଲୋକମାନେ ଏତେ ଚର୍ଚ୍ଚା କରୁଥିବା ଦେଖି ମୁଁ ଆଶ୍ଚର୍ଯ୍ୟ। ଯେଉଁ ମହିଳାମାନଙ୍କ ଉପରେ ଅନ୍ୟର ସଂସାର ବା ଘର ଭାଙ୍ଗିବାର ଅଭିଯୋଗ ଉଠୁଛି, ଲୋକମାନେ ସେପରି ମହିଳାଙ୍କୁ ଆଦୌ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ।”

ଏହା ସହ ବିବାହିତ ହୋଇ ମଧ୍ୟ ନିଜ ପତ୍ନୀଙ୍କୁ ଛାଡ଼ି କମ୍ ବୟସର ଝିଅଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷମାନଙ୍କୁ ସମାଜରେ ପସନ୍ଦ କରାଯିବା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବିବାହିତର ସମ୍ପର୍କ ଓ ଗ୍ରାମରାଇଜ୍ କରାଯାଉଥିବା ଏପରି ବିବାଦକୁ ପ୍ରଶ୍ରୟ ନ ଦେଇ ଲୋକମାନେ ସଠିକ୍ ଓ ବୁଦ୍ଧିମତ୍ତାର ଚିନ୍ତାଧାରା ରଖିବାକୁ ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ସୁପରଷ୍ଟାର ଗୋବିନ୍ଦାଙ୍କୁ ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗଚା ରାଜା’ଙ୍କ ଦର୍ଶନ ସମୟରେ ଅଭିନେତ୍ରୀ କୋମଲ ରାନୀଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ତେଜିଥିଲା।

ଉଲ୍ଲେଖଯୋଗ୍ୟ, କଶ୍ମୀରା ଶାହ ହେଉଛନ୍ତି ଗୋବିନ୍ଦାଙ୍କ ଭାଣେଜ କୃଷ୍ଣା ଅଭିଷେକଙ୍କ ପତ୍ନୀ। ପୂର୍ବରୁ ମଧ୍ୟ ଗୋବିନ୍ଦା ଏବଂ କୃଷ୍ଣାଙ୍କ ପରିବାର ମଧ୍ୟରେ ତିକ୍ତତାକୁ ନେଇ ବହୁଥର ଚର୍ଚ୍ଚା ହୋଇସାରିଛି। ଯଦିଓ କଶ୍ମୀରା ନିଜ ପୋଷ୍ଟରେ ଗୋବିନ୍ଦା କିମ୍ବା କୋମଲଙ୍କ ନାମ ସ୍ପଷ୍ଟ ଭାବେ ଲେଖିନାହାନ୍ତି, ତଥାପି ତାଙ୍କର ଏହି କଟାକ୍ଷ ଗୋବିନ୍ଦାଙ୍କ ବିବାଦକୁ ଲକ୍ଷ୍ୟ କରି କୁହାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି।

Dharitri – Odisha’s No.1 Odia Daily

Share