କାର୍ତ୍ତିକ ମାସରେ ପୂଜୁଛନ୍ତି କି ତୁଳସୀ? କଦାପି କରନ୍ତୁ ନାହିଁ ଏସବୁ ଭୁଲ…

କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ। କୁହାଯାଏ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ସୃଷ୍ଟିରେ ଆନନ୍ଦ ଏବଂ କୃପାର ବର୍ଷା ହୁଏ। ମା’ ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସିଥାନ୍ତି। ଭକ୍ତଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଥାନ୍ତି। ଏହି ସମୟରେ ତୁଳସୀକୁ ପୂଜା କରିବାର ବିଧି ରହିଛି। ତେବେ ଆସନ୍ତୁ ଜାଣିବା ଏହାର ମହତ୍ୱ ଏବଂ ସାବଧାନତା ବିଷୟରେ:-

ଏହି ମାସରେ ତୁଳସୀର ମହତ୍ୱ:
ତୁଳସୀ ଗଛକୁ ଯେକୌଣସି ଗୁରୁବାର ଲଗାଇପାରିବେ। ଏହି ମାସରେ ତୁଳସୀର ପୂଜା ଏବଂ ତୁଳସୀଙ୍କ ବିବାହ ଆଦି ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାଏ। ଘର ଅଗଣା ମଝିରେ ଏହି ଗଛକୁ ଲଗାଇବା ଉଚିତ। ନଚେତ ଶୟନ କକ୍ଷର ପାଖରେ ଥିବା ବାଲକନୀରେ। ଭୋର୍‌ ସମୟରେ ତୁଳସୀକୁ ଜଳ ଅର୍ପଣ କରନ୍ତୁ। ଏଥିସହ ଏହାର ପରିକ୍ରମା କରନ୍ତୁ।
ନିୟମିତ ଭାବେ ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ। ତୁଳସୀ ଦାନ କରିବା ଏହି ମାସରେ ବହୁତ ଭଲ। ମଙ୍ଗଳବାର ହନୁମାନଙ୍କୁ ତୁଳସୀ ଅର୍ପଣ କଲେ ଧନ ପ୍ରାପ୍ତି ହୋଇଥାଏ। ଏହି ମାସରେ ଯଦି ଖାଦ୍ୟରେ ତୁଳସୀର ପ୍ରୟୋଗ କରାଯାଏ ତେବେ ଖାଦ୍ୟର ଅଭାବ ରହି ନ ଥାଏ।

ସାବଧାନତା:
ତୁଳସୀ ପତ୍ରକୁ ସର୍ବଦା ଭୋର ସମୟରେ ତୋଳନ୍ତୁ। ଅନ୍ୟ ସମୟରେ ନୁହେଁ। ରବିବାର ତୁଳସୀ ଚଉଁରା ତଳେ ଦୀପ ଲଗାନ୍ତୁ ନାହିଁ। ଭଗବାନ ବିଷ୍ଣୁ ଏବଂ ତାଙ୍କର ଅବତାରଙ୍କୁ ତୁଳସୀ ଅର୍ପଣ କରନ୍ତୁ। ହେଲେ ଭଗବାନ ଗଣେଷ ଏବଂ ମା’ ଦୁର୍ଗାଙ୍କୁ କଦାପି ଅର୍ପଣ କରନ୍ତୁ ନାହିଁ। ତୁଳସୀ ପତ୍ର କେବେ ବି ବାସି ହୁଏ ନାହିଁ। ଏଣୁ ପୁରୁଣା ପତ୍ରକୁ ପୂଜାରେ ବ୍ୟବହାର କରାଯାଇପାରେ।