ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରର ୨ ଡାକ୍ତର ସମେତ ପୂର୍ବତନ କାଉନସିଲରଙ୍କୁ କରୋନା: ଔଷଧ ଦୋକାନଗୁଡ଼ିକ ସିଲ

ଦିଗପହଣ୍ଡି,୮।୭(ଡି.ଏନ୍‌ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହ ଦୁଇ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଏପରିକି ସେମାନଙ୍କ ସଂସ୍ପର୍ଶରେ ଆସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଜଣେ ଔଷଧ ଦୋକାନୀଙ୍କ ସମେତ ତାଙ୍କ କର୍ମଚାରୀଙ୍କ ସ୍ତ୍ରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ସୁପରଭାଇଜରଙ୍କ ସହ କ୍ୱାର୍ଟରରେ ରହୁଥିବା ଜଣେ ଆଶା କର୍ମୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସହରର ଜଣେ ପୂର୍ବତନ କାଉନ୍‌ସିଲର କରୋନାରେ ସଂକ୍ରମିତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗୁରୁବାର ସ୍ଥାନୀୟ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଟେଷ୍ଟିଂ ସେଣ୍ଟରରେ ସ୍ବତନ୍ତ୍ର ଟିମ ପକ୍ଷରୁ ସହର ସମେତ ଆଖପାଖ ଗ୍ରାମାଞ୍ଚଳର ବହୁସଂଖ୍ୟକ ବ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟର୍ନିବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ସମସ୍ତ ଔଷଧ ଦୋକାନଗୁଡ଼ିକୁ ସିଲ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନ୍‌ଏସି୍‌ ଅଞ୍ଚଳ ୫ ଦିନ ଧରି ଶଟଡାଉନ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରାଯିବା ସହ ସାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।