ଶିବମୋଗାରେ ବଢ଼ୁଛି ଉତ୍ତେଜନା: ୩ଅଭିଯୁକ୍ତ ଗିରଫ, ଏନ୍‌ଆଇଏ ଯାଞ୍ଚ ଦାବି

ବେଙ୍ଗାଲୁରୁ,୨୧।୨: କର୍ନାଟକରେ ହିଜାବ ବିବାଦ ପରେ ଏବେ ନିର୍ବାଚନୀ ହିଂସା କୁହୁଳିବାରେ ଲାଗିଛି। ରବିବାର ଶିଭମୋଗାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ହତ୍ୟା କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଜାରି ରହିଛି। ଏହି ଘଟଣାରେ ଏଯାଏ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଲାଗି ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। ଏଥିସହ ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ନଜରରେ ରଖି ୨ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ସ୍ଥାନୀୟ ପୋଲିସକୁ ସହାୟତା କରିବା ଲାଗି ମସଗ୍ର ରାଜ୍ୟରୁ ୨୧୨ ଇନ୍ସପେକ୍ଟର ଓ ସବ୍‌ଇନ୍ସପେକ୍ଟର ଉକ୍ତ ଅଞ୍ଚଳରେ ପହଞ୍ଚିଛନ୍ତି। ଅନ୍ୟପଟେ ସିଦ୍ଧୈଆ ରୋଡରେ ବିକ୍ଷୋଭକାରୀ ପ୍ରଦର୍ଶନ କରୁଥିବା ସମୟରେ ସେମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏନ୍‌ଆଇଏ ତଦନ୍ତ ପାଇଁ ଦାବି କରିଛନ୍ତି।

Share