ରାସ୍ତାରେ କରୋନା ଟେଷ୍ଟ: ବିରୋଧ କରିବାରୁ ମାଡ଼ ମାରିଲେ ସ୍ବାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ,୨୫।୫: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଲକ୍‌ଡାଉନ୍‌ ସମୟରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ସହ ର୍ଦୁବ୍ୟବହାର କରାଯାଇଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। ହେଲେ ଏବେ କର୍ନାଟକର ନଗରଥପେଟରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କୁ ଜବରଦସ୍ତି କରୋନା ଟେଷ୍ଟ କରାଇବାକୁ କୁହାଯାଇଥିଲା। ହେଲେ ସେ ମନାକରିବାରୁ ସେଠାରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟଅଧିକାରୀ ଓ କର୍ମଚାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବୃହତ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମ୍‌ପି) ଅଞ୍ଚଳରେ କରୋନା ଟିକାକରଣ କରାଯାଉଥିଲା। ଏକ ବୁଥ୍‌ରେ ଜଣେ ଯୁବକ ଟିକା ଲଗାଇବାକୁ ପହଞ୍ଚିଥିବା ବେଳେ ସେ ଭୁଲରେ କରୋନା ପରୀକ୍ଷା ଲାଇନ୍‌ରେ ଠିଆ ହୋଇଯାଇଥିଲେ। ଏନେଇ ଯେତେବେଳେ ଯୁବକଙ୍କୁ ଜଣାପଡ଼ିଥିଲା ସେତେବେଳେ ସେ ଲାଇନରୁ ଫେରିଆସିଥିଲେ। ହେଲେ ସେହି ସମୟରେ ନଗରପାଳିକାଙ୍କ ଜଣେ କର୍ମଚାରୀ ଓ ଡାକ୍ତର ତାଙ୍କୁ ଟେଷ୍ଟ କରାଇବାକୁ ବାଧ୍ୟ କରିଥିଲେ। ଯୁବକ ଜଣକ ବିରୋଧ କରିବାରୁ ସେମାନେ ତାଙ୍କୁ ରାସ୍ତା ମଝିରେ ନିର୍ଧୁମ ଛେଚିଥିଲେ। ଅନ୍ୟପଟେ କୁହାଯାଉଛି, ଯୁବକଳ ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ସ୍ବାସ୍ଥ୍ୟକର୍ମଚାରୀ ଜଣକ ତାଙ୍କୁ ଜବରଦସ୍ତି ଧରି ପକାଇଥିଲେ ଏବଂ କରୋନା ଟେଷ୍ଟ କରାଇବାକୁ କହିଥିଲେ। ହେଲେ ଯୁବକ ଜଣଙ୍କ ମନା କରିବାରୁ ସେମାନେ ତାଙ୍କୁ ଲାତ ବିଧା ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସେହି ସମୟର ଦୃଶ୍ୟକୁ କେହି ଜଣେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ବିବିଏମ୍‌ପି କମିଶନର ଘଟଣାର ତଦନ୍ତ ସହ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କରୋନା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ୨ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Share