Categories: ଜାତୀୟ

‘ଓମିକ୍ରନ ଭାରିଆଣ୍ଟ ବିପଦଜନକ ନୁହେଁ’

ବେଙ୍ଗାଲୁରୁ,୨୯।୧୧: ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ସହ ମୁଁ କଥା ହୋଇଛି। ଏହି ନୂଆ ଭାରିଆଣ୍ଟା ଓମିକ୍ରନ କୋଭିଡ୍‌ର ଡେଲ୍ଟା ଭାରିଆଣ୍ଟ ଭଳି ବିପଦଜନକ ନୁହେଁ। ଏଥିରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ଖୁବ କମ ହାରରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ସୋମବାର ଏଭଳି କହିଛନ୍ତି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ ସୁଧାକର।

”ଦକ୍ଷିଣ ଆଫ୍ରିକାରେ ଥିବା ମୋ ସାଥି ଡାକ୍ତରଙ୍କ ସହ କଥା ହେଲା ପରେ ମୁଁ କିଛି ସନ୍ତୋଷଜନକ ତଥ୍ୟ ଜାଣିବାକୁ ପାଇଛି। ଏହା ଅନ୍ୟ ଭାରିଆଣ୍ଟ ଠାରୁ ଦ୍ରୁତ ଗତିରେ ସଂକ୍ରମିତ କରୁଛି। କିନ୍ତୁ ଏହା ଡେଲ୍ଟା ଭଳି ବିପଦଜନକ ନୁହେଁ। ଏହା ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରୁ ହାଲିଆ ଓ ବାନ୍ତି ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ସେମାନେ ସ୍ବାଦ ଓ ଗନ୍ଧ ବାରି ପାରୁଛନ୍ତି। ଏହାର ତୀବ୍ରତା ଗୁରୁତର ନ ଥିବାରୁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କ ସଂଖ୍ୟା କମ“ ବୋଲି ସୁଧାକର କହିଛନ୍ତି।

ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ନାଟକରେ ହାଇ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ଦୁହେଁ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କ ଠାରେ କିଛି ଅଲଗା ଭାରିଆଣ୍ଟ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସୋମବାର କହିଛନ୍ତି। ହେଲେ ଏ ସମ୍ପର୍କରେ ଅନ୍ୟ କୌଣସି ତଥ୍ୟ ସେ ଦେଇ ନାହାନ୍ତି।

Share