Categories: ଜାତୀୟ

କର୍ନାଟକରେ ସୋମବାରଠୁ ଖୋଲିବ ସ୍କୁଲ

ବେଙ୍ଗାଲୁରୁ,୧୦।୨: କର୍ନାଟକରେ ହିଜାବ ପିନ୍ଧିବାକୁ ନେଇ ସ୍କୁଲ, କଲେଜ ବନ୍ଦ କରାଯାଇଥିଲା। ଗୁରୁବାର ରାଜ୍ୟ ସରକାର ନବମ ଓ ଦଶମ ଶ୍ରେଣୀ ପାଇଁ ସୋମବାରଠାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ବିଶ୍ୱବିଦ୍ୟାଳୟ ଓ ହାଇୟର ଏଜୁକେଶନ କଲେଜ ଖୋଲିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ରାଜ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ କ୍ଲାସ ଚାଲୁଥିଲା।

ଛାତ୍ରୀଛାତ୍ରଙ୍କ ଦୁଇ ଗୋଷ୍ଠୀ ହିଜାବ ଏବଂ ସାର୍ଫନ ସ୍କାର୍ଫ ପିନ୍ଧି କଲେଜ ଯିବା ପରେ କୌଣସି ଦୁର୍ଘଟଣାର ସମ୍ଭାବନାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ବାସଭରାଜ ଏସ୍‌ ବୋମାଇ ସମସ୍ତ ହାଇସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ସଂସଦରେ ପହଞ୍ଚିଥିବା ହିଜାବ ଆନ୍ଦୋଳନ ଉଡୁପି ଜିଲାର ସରକାରୀ ମହିଳା ପିୟୁ କଲେଜରେ କିଛି ଛାତ୍ରୀଙ୍କୁ ମୁଣ୍ଡ ଘୋଡ଼ାଇବା ସ୍କାର୍ଫ ବ୍ୟବହାର କରିବାକୁ ବାରଣ କରାଯିବାରୁ ଆରମ୍ଭ ହୋଇଥିଲା। ଉଡୁପି ଓ ଚିକ୍କାମାଗାଲୁରୁର ଦକ୍ଷିଣପନ୍ଥୀ ଗୋଷ୍ଠୀ କ୍ଲାସରୁମ୍‌ରେ ମୁସଲିମ ଛାତ୍ରୀଙ୍କ ହିଜାବ ପିନ୍ଧିବାକୁ ବିରୋଧ କରିଥିଲେ।

ହିଜାବ କଟକଣା ବିରୋଧରେ କର୍ନାଟକ ହାଇକୋର୍ଟରେ ଦାଖାଲ କରାଯାଇଥିବା ଆବେଦନର ଶୁଣାଣି ଚାଲିଛି। ଏ ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବ। ସେ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀ ଓ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି ହାଇକୋର୍ଟ।

Share