Categories: ଜାତୀୟ

କର୍ନାଟକ ସ୍କୁଲର ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଅଣ୍ଡା

ବେଙ୍ଗାଲୁରୁ,୧୩।୪: କେତେକ ଧାର୍ମିକ ଗୋଷ୍ଠୀ ଏବଂ ସମ୍ପ୍ରଦାୟର ବିରୋଧ ସତ୍ତ୍ୱେ ମଧ୍ୟ କର୍ନାଟକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ସାମିଲ କରାଯାଇପାରେ। ଆଗାମୀ ଏକାଡେମିକ ସେସନରେ ଭାଜପା ସରକାର ଏହାକୁ ଆରମ୍ଭ କରିପାରନ୍ତି। ଭାଜପା ସରକାର ଏକ ପାଇଲଟ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ଯେଉଁଥିରେ ଶିଶୁଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିହେବ। ଏଥିପାଇଁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଉତ୍ତର କର୍ନାଟକର ୭ଟି ପଛୁଆ ଜିଲାରେ ଅଣ୍ଡା ଦିଆଯାଇଥିଲା। ତେବେ ଯେଉଁମାନେ ଅଣ୍ଡା ଖାଆନ୍ତିନାହିଁ ସେମାନଙ୍କୁ ଫଳ କିମ୍ବା ଅନ୍ୟାନ୍ୟ ବିକଳ୍ପ ଦିଆଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସମ୍ପ୍ରଦାୟ ବିରୋଧ କରିଥିଲେ। ତଥାପି, ଛାତ୍ର ଓ ଅଭିଭାବକମାନଙ୍କଠାରୁ ମିଳିଥିବା ସକରାତ୍ମକ ପ୍ରତିକ୍ରିୟା ପରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଣ୍ଣୟ ନେଇଛନ୍ତି। ଏହି ପ୍ରସ୍ତାବ ଚୂଡ଼ାନ୍ତ ହେବା ପରେ କ୍ୟାବିନେଟରେ ଉପସ୍ଥାପନ କରାଯିବ। ତେବେ ଅଣ୍ଡାର ମୂଲ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। କ୍ୟାବିନେଟରୁ ଅନୁମୋଦନ ମିଳିବା ପରେ କନର୍ର୍ାଟକ ଭାଜପା ଶାସନର ପ୍ରଥମ ରାଜ୍ୟ ହେବ, ଯେଉଁଠାରେ ସ୍କୁଲର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ସାମିଲ ହେବ। ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦିନ ଛାଡ଼ି ଛାତ୍ରମାନଙ୍କୁ ସ୍କୁଲରେ ଅଣ୍ଡା ଦିଆଯିବ। ଯଦିଓ ଆମେ ଏହି ଯୋଜନାକୁ ସମଗ୍ର ରାଜ୍ୟରେ ଏକାଥରକେ କାର୍ଯ୍ୟକାରୀ କରିବାକୁ ଅସମର୍ଥ ହେବୁ ତେବେ ଏହି ତାଲିକାରେ ଅଧିକ ଜିଲାକୁ ଯୋଡାଯିବ ବୋଲି ରାଜ୍ୟସରକାର କହିଛନ୍ତି।

Share