ମଙ୍ଗଳସୂତ୍ର ବନ୍ଧାରଖି କିଣିଲେ ଟିଭି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାଙ୍ଗାଲୋର, ୧।୮: କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପିଲାମାନେ ଟିଭି ଏବଂ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେବେ ଗରିବ ଯୋଗୁ ଜଣେ ମା’ ନିଜ ପିଲାମାନଙ୍କ ପାଠ ପଢ଼ାପାଇଁ ଏମିତି କାମ କରିଛନ୍ତି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗରିବ ମା’ ପିଲାମାନଙ୍କ ପାଠପଢ଼ା ପାଇଁ ନିଜର ମଙ୍ଗଳସୂତ୍ରକୁ ବନ୍ଧା ପକାଇଦେଇଛନ୍ତି । ଏଥିରୁ ଯେତିକି ଟଙ୍କା ମିଳିଲା ସେଥିରେ ସେ ଟିଭି କିଣିଛନ୍ତି। ଏହି ଘଟଣାଟି ହେଉଛି କର୍ନାଟକର ଗଡାଗ ଜିଲାର ନାଗାନୁର ଗ୍ରାମର। ଗ୍ରାମର କସ୍ତୁରୀ ଚଳଭାଦି ନିଜ ପିଲାମାନଙ୍କ ପାଠ ପଢ଼ା ପାଇଁ ୧୨ ଗ୍ରାମର ମଙ୍ଗଳସୂତ୍ରକୁ ଟିଭି କିଣିବା ପାଇଁ ବନ୍ଧା ରଖିଲେ। ଫଳରେ ପିଲାମାନେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ିପାରିବେ। ଏହି ଘଟଣା ବିଷୟରେ ଜାଣିବା ପରେ ମଙ୍ଗଳସୂତ୍ର ବନ୍ଧା ରଖିଥିବା ବ୍ୟକ୍ତି ଉକ୍ତ ମଙ୍ଗଳସୂତ୍ରକୁ ଫେରିଇ ଦେଇଥିଲେ। ଏଥିସହ ଯେତେବେଳେ ସୁବିଧା ହେବ ଟଙ୍କା ଫେରାଇଦେବ ବୋଲି କହିଛନ୍ତି।
ଏ ନେଇ କସ୍ତୁରୀ କୁହନ୍ତି, ଗରିବ ଯୋଗୁ ପିଲାମାନଙ୍କ ଭବିଷ୍ୟତ ବିପଦରେ ଥିଲା। ଏହି ସମୟରେ କେହି ଲୋନ୍‌ ମଧ୍ୟ ଦେଉ ନାହାନ୍ତି। ପିଲାମାନେ ଅନ୍ୟମାନଙ୍କ ଘରକୁ ଯାଇ ପାଠ ପଢ଼ୁଥିଲେ। ତେଣୁ ମୁଁ ମୋର ମଙ୍ଗଳସୂତ୍ର ବନ୍ଧା ପକାଇ ଟଙ୍କା ଆଣି ଟିଭି କିଣିବି ବୋଲି ନିଷ୍ପତ୍ତି ନେଲି।

Share