Categories: ଜାତୀୟ

କର୍ନାଟକ ନିର୍ବାଚନ: କଂଗ୍ରେସ ଆଗରେ

ନୂଆଦିଲ୍ଲୀ, ୭।୫: (ଆଇଏଏନ୍‌ଏସ୍‌): କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପକ୍ଷରୁ କରାଯାଇଥିବା ଚୂଡ଼ାନ୍ତ ଜନମତ ସର୍ଭେ ଅନୁଯାୟୀ ଏବେ ବି କଂଗ୍ରେସ ଜିତିବା ସ୍ଥିତିରେ ରହିଛି। ତେବେ ଜୋର୍‌ଦାର ପ୍ରଚାର ଯୋଗୁ ପୂର୍ବରୁ ଭାଜପା ଓ କଂଗ୍ରେସ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ ପାଇଛି। ମେ’ ୧୦ରେ ହେବାକୁ ଥିବା ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୧୦ରୁ ୧୨୨ ଆସନ ମିଳିବ ବୋଲି ସି-ଭୋଟର ଜନମତ ସର୍ଭେରେ କୁହାଯାଇଛି। ସେଠାରେ ସରକାର ଗଢ଼ିବା ପାଇଁ ୧୧୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କଂଗ୍ରେସ ୪୦.୨ ପ୍ରତିଶତ ଭୋଟ ପାଇବ, ଯାହା କି ଗତଥର ଭୋଟ ଭାଗ ଅପେକ୍ଷା ୨.୨ ପ୍ରତିଶତ ଅଧିକ। ଅନ୍ୟପକ୍ଷରେ କ୍ଷମତାରେ ଥିବା ଭାଜପା ଏଥର ନିର୍ବାଚନରେ ୭୩ରୁ ୮୫ ଆସନ ମଧ୍ୟରେ ସୀମିତ ରହିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୧୮ ନିର୍ବାଚନରେ ଭାଜପା ୧୦୪ ଆସନ ଜିତିଥିଲା। ତେବେ ଏହାର ଭୋଟ ଭାଗ ପୂର୍ବଭଳି ୩୬ ପ୍ରତିଶତ ରହିବ। ଜେଡିଏସ୍‌ ଏଥର ୨୧ ଆସନ ଜିତିବ ବୋଲି କୁହାଯାଇଛି। ୨୦୧୮ରେ ଏହି ଦଳକୁ ୩୭ ଆସନ ମିଳିଥିଲା।

Share