Categories: ଜାତୀୟ

‘ଜାମିନରେ କଂଗ୍ରେସର ରାଜ ପରିବାର, ଦେଉଛନ୍ତି ଉପଦେଶ’, କର୍ନାଟକରେ ମୋଦିଙ୍କ ହୁଙ୍କାର

ବେଙ୍ଗାଲୁରୁ,୩୦।୪: କର୍ନାଟକରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ବି ଏଥିରେ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ସେ ଭାଜପାର ନିର୍ବାଚନ ପ୍ରଚାରରେ ଦମ ଲଗାଇ ଦେଇଛନ୍ତି।
ମୋଦି କୋଲାରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, କର୍ନାଟକର ଏହି ନିର୍ବାଚନ ଆସନ୍ତା ୫ ବର୍ଷ ପାଇଁ ବିଧାୟକ, ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ହେବାର ନୁହେଁ। ଏହି ନିର୍ବାଚନ ଆସନ୍ତା ୨୫ ବର୍ଷରେ ବିକଶିତ ଭାରତର ରୋଡମ୍ୟାପର ଆଧାରଶିଳାକୁ ସଶକ୍ତ କରିବାର। ଅସ୍ଥିର ସରକାର ଏଭଳି ବଡ ଭିଜନ ଉପରେ କେବେ କାମ କରିପାରିବେ ନାହିଁ।
ଏହି ସମ୍ବୋଧନ ସମୟରେ ମୋଦି କଂଗ୍ରେସ ଓ ଜେଡିଏସକୁ ଟାର୍ଗେଟ କରି କହିଛନ୍ତି, ଏତେ ସଂଖ୍ୟାରେ ଆପଣମାନେ ଏଠାରେ ପହଞ୍ଚିବା କଂଗ୍ରେସ ଓ ଜେଡିଏସ ଉଭୟଙ୍କ ନିଦ ହଜାଇଦେବ। କର୍ନାଟକ ବିକାଶରେ ଏହି ଦୁଇ ଦଳ ସବୁଠାରୁ ବଡ ବାଧା। କଂଗ୍ରେସ ଓ ଜେଡିଏସ ମିଳିମିଶି ଯେତେ ଖେଳୁଛନ୍ତି ଖେଳନ୍ତୁ ହେଲେ କର୍ନାଟକର ଜନତା ଏମାନଙ୍କୁ କ୍ଲିନ ବୋଲ୍ଡ କରିବାକୁ ଯାଉଛନ୍ତି।
ମୋଦି କଂଗ୍ରେସ ଉପରେ ବର୍ଷିବା ସମୟରେ କହିଛନ୍ତି, ଆଜି ଯେତେବେଳେ ମୁଁ ଭ୍ରଷ୍ଟାଚାର ବିରୋଧରେ ଲଢେଇ ଲଢୁଛି ସବୁଠାରୁ ବଡ ଅଡୁଆ କଂଗ୍ରେସକୁ ହେଉଛି। ସେଥିପାଇଁ କଂଗ୍ରେସର ମୋ ପ୍ରତି ଘୃଣା ଦିନକୁ ଦିନ ବଢିବାରେ ଲାଗିଛି। ସେମାନେ ମୋ ଉପରେ ଆହୁରି ବର୍ଷି ଚାଲିଛନ୍ତି। କଂଗ୍ରେସ ଲୋକ ମୋତେ ଗାଳି ଦେଉଛନ୍ତି, ମୋଦି ତୁମର କବର ଖୋଲିଦେବୁ। ଏବେ ସେ ମୋର ତୁଳନା ସାପ ସହ କରୁଛନ୍ତି ଆଉ ଜନତାଙ୍କୁ ଭୋଟ ମାଗୁଛନ୍ତି। ସାପତ ଭଗବାନ ଶଙ୍କରଙ୍କ ଗଳାରେ ଶୋଭା ପାଉଛି, ଆଉ ମୋ ପାଇଁ ଦେଶର ଜନତା ଈଶ୍ୱରଙ୍କ ରୂପ, ଶିବଙ୍କ ସ୍ବରୂପ। ଏହି ସମୟରେ ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଏବେ କଂଗ୍ରେସର ରାଜ ପରିବାର ଜାମିନରେ ବାହାରେ ଅଛନ୍ତି, ଆଉ ଲୋକଙ୍କୁ ଉପଦେଶ ଦେଉଛନ୍ତି।

Share