ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୫: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ନୂଆ ନେତା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସିଦ୍ଦରାମାୟାଙ୍କ ଉତ୍ତରାଧିକାରୀ ଭାବେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଦଳ ହାଇକମାଣ୍ଡ ଚାହୁଁଥିବାରୁ ସେ ନେତା ନିର୍ବାଚିତ ହେବା ଆଶା କରାଯାଉଛି। ଶନିବାର ଅପରାହ୍ନରେ ବିଧାନ ସୌଧର ସମ୍ମିଳନୀ କକ୍ଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏନେଇ କଂଗ୍ରେସ ବିଧାୟକ ଦଳ ସମ୍ପାଦକ ଶୁକ୍ରବାର ସର୍କୁଲାର ଜାରି କରିଛନ୍ତି। ସିଦ୍ଦାରାମାୟା ଶିବକୁମାରଙ୍କୁ ତାଙ୍କ ଉତ୍ତରାଧିକାରୀ ଘୋଷଣା କରିସାରିଥିବାରୁ ନେତା ନିର୍ବାଚନ କେବଳ ଏକ ଔପଚାରିକତା ବୋଲି କୁହାଯାଉଛି। ବୈଠକରେ କର୍ନାଟକ କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସଂ ସୂର୍ଯଓ୍ବୋଲା, କର୍ନାଟକ ବିଧାନ ପରିଷଦରେ ଦଳର ନେତା ତଥା ମନ୍ତ୍ରୀ ଏନ୍.ଏସ୍. ବୋଷରାଜୁ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦିନକ ପରେ ସିଦ୍ଦାରାମାୟା ଶୁକ୍ରବାର ଦିଲ୍ଲୀ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ସିଦ୍ଦାରାମାୟାଙ୍କ ସହ ତାଙ୍କ ପୁଅ ୟଥୀନ୍ଦ୍ର ଯାଇଛନ୍ତି। ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ସିଦ୍ଦାରାମାୟା ଓ ରହୁଲଙ୍କ ମଧ୍ୟରେ ବୈଠକ ବସିଥିଲା। ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପ୍ରତିଶ୍ରୁତି ପାଳନ କରିବା ସହ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପାଇଁ ବାଟ ଛାଡ଼ିଦେଇଥିବା ରାହୁଲଙ୍କୁ କହିଥିବା ଜଣାପଡ଼ିଛି। ନୂଆ ସରକାର ଗଠନ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସେ ରାହୁଲଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିବାବେଳେ ସେ ମନା କରିଥିଲେ। ସେ କେନ୍ଦ୍ରୀୟ ଭୂମିକା ପାଇଁ ରାଜି ନାହାନ୍ତି, କର୍ନାଟକରେ ରହିବାକୁ ଚାହାନ୍ତି ବୋଲି ଜଣାଇଦେଇଥିଲେ।