Categories: ଜାତୀୟ

ଦିଲ୍ଲୀ ଗସ୍ତରେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଦିଲ୍ଲୀ ଗସ୍ତ ପୁଣି ଥରେ ରାଜ୍ୟର ନେତୃତ୍ୱ ପରିବର୍ତ୍ତନକୁ ନେଇ ରହିଥିବା କଳ୍ପନା ଜଳ୍ପନାକୁ ଆହୁରି ବଢ଼ାଇଦେଇଛି। କାରଣ ଗତ କିଛି ସମୟରୁ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଲାଗି ରହିଛି। ୭୮ବର୍ଷୀୟ ୟେଦୁରପ୍ପା ଓ ତାଙ୍କ ପୁଅ ବିଜେନ୍ଦ୍ର ଏକ ସ୍ବତନ୍ତ୍ର ବିମାନରେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୬ଟା ୪୫ରେ ୟେଦୁରପ୍ପା ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ରାଜ୍ୟରେ ଅସନ୍ତୁଷ୍ଟ ଭାଜପା ନେତା ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହି ପ୍ରସଙ୍ଗରେ ମୋଦିଙ୍କ ସହ ତାଙ୍କର ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନିକଟରେ ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂ କର୍ନାଟକ ଗ୍ରସ୍ତରେ ଆସି ଶାସକ ଦଳର ବିଧାୟକଙ୍କୁ ଭେଟିଥିଲେ। ସେହି ସମୟରେ ସେ କହିଥିଲେ, ଦଳର ନେତୃତ୍ୱର ସମର୍ଥନ ରହିଛି ଏବଂ ୟେଦୁରପ୍ପା ଏବଂ ତାଙ୍କ ସରକାର ଭଲ କାମ କରୁଛନ୍ତି। ତେବେ ଅରୁଣ ସିଂଙ୍କ ଏହି ବୟାନ ପରେ ବି ନେତାମାନେ ଅସନ୍ତୁଷ୍ଟ ଥିବା ବେଳେ ନେତୃତ୍ୱ ପରିବର୍ତ୍ତନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।

Share