Categories: ଜାତୀୟ

କିଙ୍ଗମେକର ସାଜିବକି ଜେଡିଏସ, ପ୍ରତି ମୁହୂର୍ତ୍ତରେ ବଦଳୁଛି ନମ୍ବର, କେବେ ଭାଜପା ତ କେବେ କଂଗ୍ରେସ

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭରେ ୨୧୬ ଆସନର ଫଳାଫଳ ସାମ୍ନାକୁ ଆସିଛି। ଏଥିରୁ କଂଗ୍ରେସ ୧୦୬ ଆସନରେ ଆଗରେ ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ୯୦ ଆସନରେ ଆଗରେ ରହିଛି। ଜେଡିଏସ ୧୭ ଆସନରେ ଆଗରେ ଥିବା ବେଳେ ଏଚଡି କୁମାରସ୍ବାମୀ ତାଙ୍କ ପ୍ରତିଦ୍ୱନ୍ଦିଙ୍କଠାରୁ ପଛରେ ରହିଛନ୍ତି।
ଜେଡିଏସ କର୍ନାଟକର ଏକ ଆଞ୍ଚଳିକ ଦଳ। ଜେଡିଏସ ମୁଖ୍ୟ କର୍ନାଟକର ଚନ୍ନପଟ୍ଟନମ ବିଧାନସଭା ଆସନରୁ ଦ୍ୱିତୀୟ ଥର ଲାଗି ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଭାଜପା କୁମାରସ୍ବାମୀଙ୍କ ବିଜୟପଥକୁ ରୋକିବାକୁ ସିପି ଯୋଗେଶ୍ୱରଙ୍କୁ ପ୍ରାର୍ଥୀ କରିଛି। ଏପଟେ କଂଗ୍ରେସ ଗଙ୍ଗାଧର ଏସଙ୍କୁ ମଇଦାନକୁ ଓହ୍ଲାଇଛି।
ଶନିବାର ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିବା ପରେ କୁମାରସ୍ବାମୀ କହିଛନ୍ତି ମୋର ଗୋଟିଏ ଛୋଟ ଦଳ ତେଣୁ ମୋର ଡିମାଣ୍ଡ କେମିତି ରହିବ। ଏଥର ଏକଜିଟ ପୋଲ କହିଛି ଜେଡିଏସକୁ ୩୦-୪୦ ଆସନ ମିଳିପାରେ। ଯଦି ଏହା ସତ ହେଲା ତେବେ ଜେଡିଏସ କର୍ନାଟକ ବିଧାନସଭା ନିର୍ବାଚନର କିଙ୍ଗମେକର ହୋଇପାରେ ବୋଲି କୁହାଯାଉଛି। କାରଣ ଗତଥର ଜେଡିଏସକୁ ୩୭ ଆସନ ମିଳିଥିବା ବେଳେ ଏହା ରାଜ୍ୟର ତୃତୀୟ ନମ୍ବର ଦଳ ତାଲିକାକୁ ଆସିଯାଇଥିଲା।

Share