Posted inଫୁରସତ

ବିତିଗଲାଣି ୨୨ ବର୍ଷ; ହେଲେବି ଯବାନଙ୍କ ମନରୁ ଲିଭିନି କାର୍‌ଗିଲର ସ୍ମୃତି…

୧୯୯୯ ମସିହା ମେ’ ମାସର କଥା । ପାକିସ୍ତାନୀ ସୈନ୍ୟ କାର୍‌ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଙ୍ଘନ କରିି ତାକୁ ଅକ୍ତିଆର କରିନେଇଥାଆନ୍ତି। ଆଉ ପାହାଡ଼ ଉପରେ ଥାଇ ଭାରତୀୟ ସେନାଙ୍କ ଉପରେ ଆରମ୍ଭ କରିଦେଇଥାଆନ୍ତି ଗୁଳି ବର୍ଷଣ। ସେମାନଙ୍କୁ ପାଲଟା ଜବାବ ଦେବା ପାଇଁ ହିଁ ଆରମ୍ଭ ହୋଇଥିଲା ‘କାର୍‌ଗିଲ ଯୁଦ୍ଧ’ ବା ‘ଅପରେଶନ ବିଜୟ’। କେବେ ଦୁର୍ଗମ ପାହାଡ଼ ଚଢ଼ି ମୁହଁାମୁହିଁ ଲଢ଼େଇ କରି ତ ପୁଣି କେବେ ବୋଫର୍ସ ଗନ୍‌ରେ ଲଗାତର ଗୁଳିର ବର୍ଷାକରି ଭାରତୀୟସେନା ଭାରତ ମାତାର ମଥାରେ ପିନ୍ଧେଇଥିଲେ ବିଜୟର ତିଲକ । ୟା’ ମଧ୍ୟରେ ବିତିଗଲାଣି ୨୨ ବର୍ଷ । ତଥାପି ଯୁଦ୍ଧଭୂମିରୁ ସୁରକ୍ଷିତ ଫେରିଥିବା ବୀର ଯବାନଙ୍କ ମନରୁଲିଭିନି ତା’ର ସ୍ମୃତି …

ପାକିସ୍ତାନ ପଟରୁ ଚଢ଼ି ଆକ୍ରମଣ କରିଥିଲୁ
-ପ୍ରସନ୍ନ ଚୌଧୁରୀ, ଲାନ୍ସ ନାଏକ
ମୋ ବିବାହ ୧୯୯୯ ଫେବୃୟାରୀ ୯ରେ ହେଇଥିଲା। ଦୁଇମାସ ଛୁଟିରେ ରହି ମୁଁ ଫେରି ଯାଇଥିଲି ମୋ କର୍ମସ୍ଥଳକୁ। ସେତେବେଳେ ଗୁଲ୍‌ମାର୍ଗ ସେକ୍ଟରରେ ଆମ ବାଟାଲିଅନ(ମହାରେଜିମେଣ୍ଟର ୧୨ ବାଟାଲିଅନ) ଥାଏ। ମୁଁ ଲାନ୍ସ ନାଏକ ବା ଆସିଷ୍ଟାଣ୍ଟ ସେକ୍ସନ କମାଣ୍ଡର ଭାବେ କାମ କରୁଥାଏ। ୨୪ ମେ’ର କଥା, ଆମେ ଡ୍ୟୁଟି କରୁଥିବା ସ୍ଥାନରେ ‘ଦିଲ୍‌ କ୍ୟା କରେ’ ଚଳଚ୍ଚିତ୍ରର ଶୁଟିଂ ଚାଲିଥାଏ। ଡ୍ୟୁଟି କରିବା ସହ ଶୁଟିଂ ଦେଖୁଥାଉ। ହେଲେ ଏତିକିବେଳେ ହଠାତ ବାଟାଲିଅନ୍‌ ବିଗୁଲ୍‌ ବାଜିଲା। ଆମେ ସବୁ ଏକାଠି ହେଲୁ। ଆମକୁ ଜଣାଇଦିଆଗଲା ଯେ, କିଛି ଆତଙ୍କବାଦୀ ପଶି ଆସିଛନ୍ତି। ଆଉ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ଅତିକ୍ରମ କରି ପାହାଡ଼ ଉପରୁ ଗୁଳିବର୍ଷଣ କରୁଛନ୍ତି। ତେଣୁ ତାଙ୍କୁ ବିତାଡିତ କରିବାକୁ ହେବ। ଆଉ ମସ୍କୋ ଭ୍ୟାଲି ଯିବାକୁ ପଡ଼ିବ। ସଙ୍ଗେ ସଙ୍ଗେ ଆମେ ଆମର କିଛି ଜିନିଷ ସହ ଅସ୍ତ୍ରଭଣ୍ଡାର ଯାଇ ୫୦୦ ରାଉଣ୍ଡ ଗୁଳି, ୪ଟି ଲେଖଁା ଗ୍ରେନେଡ, ବନ୍ଧୁକ, ଖୋକରୀ ଭଳି କିଛି ହତିଆର ଧରି ୨୪ ମେ ରାତିରେ ବାହାରିପଡ଼ିଲୁ। ୨୫ତାରିଖରେ ସୋନାମାର୍ଗରେ ପହଞ୍ଚତ୍ଲୁ। ସେଠୁ ୫୩୭୫ ମିଟର ଟାଇଗର୍‌ ଭ୍ୟାଲି ଚଢ଼ିବାକୁ ଥାଏ। ଜଣେ ଆମକୁ କହିଲେ ଯିଏ ତୀଖ ଦୁର୍ଗମ ଟାଇଗର ଭ୍ୟାଲିକୁ ଚଢିଛି କେବେ ଫେରିନି। ସେଥିପାଇଁ ଚଢ଼ିବା ପୂର୍ବରୁ ଭଲରେ ଖାଇବୁପିଇବୁ ଭାବି ରାତିରେ ଚିକେନ୍‌ ରାନ୍ଧି ଖାଇଲୁ। ଆଉ ଟିକେ ହସଖୁସି କରିବୁ ଭାବିଲାବେଳକୁ ରାତି ୧୧ଟାରେ ଖବର ଆସିଲା ଏୟାର୍‌ ଆଟାକ୍‌ ହେବ। ଆଉ ମଜା ମଜ୍‌ଲିସ୍‌ କରିବୁ କ’ଣ, ବିଶ୍ରାମ ନେବୁ କ’ଣ ସବୁ ଗାଡ଼ିକୁ ଲୁଚେଇବାରେ ଲାଗିଗଲୁ। ସକାଳେ ବ୍ରିଗେଡ ହେଡକ୍ୱାର୍ଟରରୁ ମ୍ୟାପ୍‌ କଲେକ୍ସନ କଲୁ। ଭଲରେ ମ୍ୟାପ୍‌ ଷ୍ଟଡି କଲୁ। ତା’ପରେ ଟାଇଗର ଭ୍ୟାଲି ଚଢ଼ିବା ଆରମ୍ଭ କଲୁ। ଆମ ପାଖରେ ଶୀତବସ୍ତ୍ର ନ ଥାଏ କି ବରଫ ପାହାଡ଼ରେ ଚଢିବା ପାଇଁ କିଛି ସରଞ୍ଜାମ ବି ନ ଥିଲା। -୮ଂ ରୁ -୯ଂ ତାପମାତ୍ରାରେ ଟାଙ୍ଗରା ପାହାଡ଼ର ପଥରକୁ ଧରି ଚଢିବାବେଳେ ପଥର ଖସି ଯାଉଥିଲା। ଦିନରେ ବଡ଼ ବଡ଼ ପଥର ତଳେ ଲୁଚି ରହି ରାତିରେ ଭାରି କଷ୍ଟରେ ପାହାଡ଼ ଚଢୁଥିଲୁ। ଖାଇବା ପାଇଁ ବି ପାଖରେ କିଛି ନ ଥାଏ। ପାହାଡ଼ ଚଢ଼ିବାବେଳେ ଯେଉଁଠି ପାଣି ଦେଖିଲୁ ପଇବା ପାଇଁ ପାକିସ୍ତାନୀ ସେ ପାଣିରେ ବିଷ ମିଶାଇ ଦେଇଥାଆନ୍ତି। ତେଣୁ ପାଣି ବି ପିଇ ପାରି ନ ଥିଲୁ। ଖାଲି ଗାଣ୍ଠିଆ ଭଳି ଏକ ଖାଦ୍ୟ ସମସ୍ତଙ୍କ ପାଖରେ ୫୦୦ ଗ୍ରାମ୍‌ ଲେଖଁା ଥିଲା। ଜୋର୍‌ରେ ଭୋକ ହେଲେ ସେଥିରୁ କିଛି ଖାଉଥିଲୁ। ଦେହରେ ୧୮ କିଗ୍ରାର ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌, ମୁଣ୍ଡରେ ଓଜନିଆ ବୁଲେଟ୍‌ପ୍ରୁଫ୍‌ ହେଲମେଟ୍‌। ଆଉ ପିଠିରେ ଲଦା ହୋଇରହୁଥିଲା ପ୍ରାୟ ୪୦ କି.ଗ୍ରା. ଓଜନର ହତିଆର। ୨୭ ତାରିଖ ରାତି ୩ଟାରେ ଟାଇଗର ଭ୍ୟାଲିରେ ପହଞ୍ଚତ୍ଲୁ। ତିନିଦିନ ହେବ ଭୋକିଲା ଥାଉ। ତଥାପି ୨୮ ତାରିଖ ସକାଳେ ଆମେ ପାକିସ୍ତାନ ଉପରେ ଆକ୍ରମଣ କଲୁ। ପଛପଟୁ ସପୋର୍ଟ ଫାୟାର୍‌ ଚାଲିଥାଏ। ପ୍ରଥମେ ଆମେ ଗ୍ରେନେଡ ମାରି କିଛି ପାକିସ୍ତାନୀଙ୍କୁ ମାରିଦେଲୁ। ଆଉ କିଛିଙ୍କୁ ଆମେ ହାତରେ ଖୋକରୀ ଧରି ମୁହାଁମୁହିଁ ଆକ୍ରମଣ କରିଥିଲୁ। ମରିବୁ ନ ହେଲେ ମାରିବୁ ନୀତିରେ ଲଢ଼େଇ କରିଥିଲୁ। ଆଉ ଆଖିବୁଜି ଶବ ପରେ ଶବ ବିଛେଇ ଚାଲିଥିଲୁ। ଶେଷରେ ପାକିସ୍ତାନୀ ହାର୍‌ ମାନିଗଲେ। କିଛି ପାକିସ୍ତାନୀ ସୈନ୍ୟଙ୍କୁ ଆମେ ଗିରଫ କଲୁ। ମନ ଖୁସି ଥାଏ। ତେବେ ତିନିଦିନ ନ ଖାଇ ଭୋକରେ ଜଳୁଥିବା ପେଟକୁ ଶାନ୍ତ କରିବା ଲାଗି ଆମେ ପାକିସ୍ତାନୀ ବଙ୍କରରେ ଥିବା ଚଣା ଗୁଡ଼କୁ ଖାଇଲୁ। କିଛି ଖାଦ୍ୟ ତ ରକ୍ତରେ ଲତପତ ଥିଲା। ସେଗୁଡିକୁ ଆଡେଇ ଅନ୍ୟ ଚଣାଗୁଡ ଖାଇଥିଲୁ। ଏହି ଆକ୍ରମଣରେ ଭଗବାନଙ୍କ ଦୟାରୁ ଆମ ଗ୍ରୁପ୍‌ର କେହି ଆହତ ହୋଇ ନ ଥିଲେ। ଆଟାକ୍‌ ସଫଳ ହେବାପରେ ଡେପ୍‌ଥ କମ୍ପାନୀରୁ ଆମ ପାଖକୁ ଖାଦ୍ୟ(ପୁରୀ, ଡାଲମା) ପହଞ୍ଚତ୍ଥିଲା। ଏହାପରେ ପୁଣି ସେକେଣ୍ଡ ପୋଷ୍ଟ ଆଟାକ୍‌ କରିବା ଲାଗି ଚଢ଼ିବା ଆରମ୍ଭ କଲୁ। ଜୁନ୍‌ ୫ ତାରିଖରେ ୫୩୭୩ ମିଟର ଉଚ୍ଚତାରେ ଥିବା ସେକେଣ୍ଡ ପୋଷ୍ଟ ଉପରେ ଆକ୍ରମଣ କଲୁ। ହେଲେ ଏହି ଲଢ଼େଇରେ ଆମର ୫ ଜଣ ସାଥୀ ଶହୀଦ ହୋଇଥିଲେ। ପ୍ରାୟ ୩୦ଜଣ ଆହତ ବି ହୋଇଥିଲେ। ଏହାପରେ ଜୁଲାଇ ୫ରେ ଟାଇଗର୍‌ ହିଲ୍‌ ଜିତିବା ଲକ୍ଷ୍ୟ ଥିଲା। ବହୁତ ଯୋଜନା ପରେ ଆମେ ପାକିସ୍ତାନ ପଟରୁ ଚଢି ଆକ୍ରମଣ କରିଥିଲୁ। ପାକିସ୍ତାନୀ ସୈନ୍ୟ କେବେ ଭାବି ନ ଥିଲେ ଏମିତି ଆକ୍ରମଣ ହେବ ବୋଲି। ସେମାନେ ତ ଆମକୁ ତାଙ୍କ ପଟରେ ଦେଖି ପାକିସ୍ତାନୀ ସୈନ୍ୟ ଭାବିଥିଲେ। ହେଲେ ଆମେ ଯେତେବେଳେ ଆକ୍ରମଣ କଲୁ। ସେମାନେ ହଠାତ୍‌ କିଛି ବୁଝିପାରି ନ ଥିଲେ। ବେଶ୍‌ ଘମାଘୋଟ ଲଢ଼େଇ ହେଲା। ମୁହଁାମୁହିଁ ଏହି ଲଢ଼େଇରେ ଅନେକ ଜୀବନ ଯାଇଥିଲା। ପ୍ରଥମେ ତ ଆମେ ଗ୍ରେନେଡ ମାଡ଼ କରିଥିଲୁ। ଏହାପରେ ଦୁଇ ହାତରେ ଖୋକରୀ, ବେନେଡ ଧରି ପାକିସ୍ତାନୀଙ୍କୁ ମାରିଲୁ। ଯେଉଁମାନେ ହାତଟେକି ସରେଣ୍ଡର କଲେ ସେମାନଙ୍କୁ ଆରେଷ୍ଟ କଲୁ। ଏମିତିଭାବେ ଟାଇଗର୍‌ ହିଲ୍‌ ଉପରେ ବି ବିଜୟ ଲାଭ କଲୁ। ଏହାପରେ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା। ଯୁଦ୍ଧ ବିରାମ ପରେ ମଧ୍ୟ ଆମର ଅନେକ ସୈନ୍ୟ ଆହତ ହୋଇଥିଲେ। କାରଣ ପାକିସ୍ତାନୀ ସୈନ୍ୟ ପୋଷ୍ଟ ଛାଡ଼ି ଗଲାବେଳେ ଲ୍ୟାଣ୍ଡମାଇନ୍‌ ଲଗେଇ ଦେଇଥିଲେ। ଆମେ ସର୍ଚ୍ଚ ଅପରେଶନ୍‌ କଲାବେଳେ ଲ୍ୟାଣ୍ଡମାଇନ୍‌ ଫୁଟିଥିଲା। ଆଉ ଅନେକ ସାଥୀ ଆହତ ହେଲେ। ଲଢ଼େଇରେ ମୋ ପ୍ରିୟ ସାଙ୍ଗ ଶ୍ରୀନିବାସ ପାତ୍ର ବି ଶହୀଦ ହୋଇଥିଲେ। ବହୁତ ଦୁଃଖ ଲାଗିଥିଲା। ତାଙ୍କୁ ମୁଁ ପିଠିରେ ଲଦି ପାହାଡ଼ରୁ ଓହ୍ଲେଇକି ଆଣିଥିଲି। ସେତେବେଳେ ଆମ ଗାଁରେ ମୁଁ ଶହୀଦ ହେଲି ବୋଲି ଚହଳ ପଡ଼ିଯାଇଥିଲା। ମୋ ମା’ ଓ ସ୍ତ୍ରୀ ଚେତାଶୂନ୍ୟ ହୋଇଯାଇଥିଲେ। ହେଲେ ବାପା ଧୈର୍ଯ୍ୟଧରି ଟିଭି ଦେଖୁଥିଲେ। ଆଉ କହିଲେ ନା ଆମ ପୁଅ ନୁହେଁ ଶ୍ରୀନିବାସ ଶହୀଦ ହୋଇଛନ୍ତି। ଶ୍ରୀନିବାସ ବ୍ୟତୀତ ଆହୁରି ଅନେକ ସାଥୀ ମୋ ଆଖି ଆଗରେ ଶହୀଦ ହୋଇଥିଲେ। ୨୨ ପୂର୍ବର ଏଇ ଭୟଙ୍କର ଯୁଦ୍ଧ କଥା ମନେପଡ଼ିଗଲେ ଏବେବି ମୋ ଦେହ ଶିହରୀ ଯାଏ। ବିଶ୍ୱାସ କରି ହୁଏନା କେମିତି ଏତେ ଉଚ୍ଚା ଓ ବିପଜ୍ଜନକ ପାହାଡ଼ ମୁଁ ଚଢ଼ିପାରିଥିଲି। ଆଉ ଏତେ ବଡ଼ ଲଢ଼େଇରେ ସାମିଲ ହୋଇ ବି ଜୀବିତ ଅଛି। ୨୦୦୭ରେ ଭଲ୍ୟୁଣ୍ଟାରୀ ରିଟାୟାର୍ଡମେଣ୍ଟ ନେଲି। ଏବେ ମୁଁ ବ୍ରହ୍ମପୁର ୟୁନିୟନ ବ୍ୟାଙ୍କ ହଳଦିଆପଦର ବ୍ରାଞ୍ଚରେ ହେଡ୍‌ କ୍ୟାଶିୟର ଅଛି।

ଯୁଦ୍ଧ ଚାଲିଥିବାବେଳେ ପେଟରେ ବାଜିଲା ଗୁଳି- ବିଶ୍ୱଜିତ ଦାସ, ହାବିଲଦାର
୨୫ ମେ, ୧୯୯୯ରେ ମୁଁ କାର୍‌ଗିଲର ଗ୍ରାବ୍‌ ସେକ୍ଟରରେ ଯୋଗ ଦେଇଥିଲି। ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ଭିତରକୁ ପଶି ଆସିଥିବା ପାକିସ୍ତାନୀ ସୈନ୍ୟଙ୍କୁ ବିତାଡିତ କରିବା ଥିଲା ଭାରତୀୟ ସୈନ୍ୟଙ୍କ ଲକ୍ଷ୍ୟ। ତେଣୁ ଯେତେ ପ୍ରତିବନ୍ଧକ ଆସିଲେ ବି ତାକୁ ଏଡେଇ ଆମେ ଆଗକୁ ବଢୁଥିଲୁ। ବହୁକଷ୍ଟରେ ପାହାଡ଼ ଚଢ଼ି ଆମେ ଆମ ପୋଷ୍ଟରେ ପହଞ୍ଚତ୍ଥିଲୁ। ଆଉ ସେହି ସ୍ଥାନକୁ ଅନୁଧ୍ୟାନ କରି ବଙ୍କର ଗଢ଼ିବା ସହ ହତିଆରକୁ ସଜାଡି ରଖି ପୋଜିଶନ୍‌ ନେଲୁ। ସେତେବେଳେ ଯୁଦ୍ଧ ପ୍ରାରମ୍ଭିକ ପର୍ଯ୍ୟାୟରେ ଥାଏ। ତେଣୁ ଯୋଜନାମାନ କରାଯାଉଥାଏ। ତା’ସହ ପାକିସ୍ତାନୀଙ୍କ ଗୁଳିର ଜବାବ ଗୁଳିରେ ବି ଦିଆଯାଉଥାଏ। ଏମିତିରେ ମୋର ମନେ ଅଛି ଜୁନ୍‌ ୮ ତାରିଖରେ ଭାରତ-ପାକିସ୍ତାନ ଆଇସିସି କ୍ରିକେଟ୍‌ ଓ୍ବାର୍ଲଡ କପ୍‌ର ଫାଇନାଲ ମ୍ୟାଚ୍‌ ହୋଇଥିଲା। ସେଥିରେ ଭାରତୀୟ ଟିମ୍‌ ବିଜୟ ହାସଲ କରିଥିଲା। ଭାରତର ଏଇ ଜିତ୍‌ର ପ୍ରଭାବ ଯୁଦ୍ଧ ଉପରେ ବି ପଡ଼ିଥିଲା। ପାକିସ୍ତାନୀ ସୈନ୍ୟ ରାଗରେ ପ୍ରବଳ ଗୁଳି ବର୍ଷା କରିଥିଲେ। ରାତି ସାରା ଚାଲିଥିଲା ଗୁଳି ବର୍ଷା। ସକାଳ ପ୍ରାୟ ୬ଟା ୨୦, ସୂର୍ଯ୍ୟ ଉଦୟ ହୋଇ ନ ଥାଏ, ହଠାତ୍‌ ଏକ ଗୁଳି ଆସି ମୋ ପେଟରେ ବାଜିଲା। ରକ୍ତସ୍ରାବ ହେବାକୁ ଲାଗିଲା। ମୋ ସାଥୀ ଯବାନମାନେ ମୋତେ ପାହାଡ଼ ତଳକୁ ଆଣିବାକୁ ବହୁତ ଚେଷ୍ଟା କଲେ। ହେଲେ ୧-୨ ଘଣ୍ଟା ଆଣିବାପରେ ସେମାନେ ଆଉ ପାରି ନ ଥିଲେ। ତେବେ ସେତେବେଳକୁ ଡାକ୍ତର ଆସିଯାଇଥିଲେ। ପ୍ରାଥମିକ ଚିକିତ୍ସା ଦେବାପରେ ରେସ୍କ୍ୟୁ ହେଲିକପ୍ଟର ଆସିଥିଲା। ପ୍ରଥମେ ଶ୍ରୀନଗରରେ ଚିକିତ୍ସା କରାଗଲା। ତା’ପରେ ଦିଲ୍ଲୀ ଏବଂ ପରବର୍ତ୍ତୀ ସମୟରେ କଲିକତା କମାଣ୍ଡ ହସ୍ପିଟାଲ ନିଆଗଲା। ତିନି ମାସ ଲାଗିଗଲା ଭଲ ହେବାକୁ। ମୁଁ ସୁସ୍ଥ ହେବା ବେଳକୁ ଯୁଦ୍ଧ ସରିଲାଣି। ଆଉ ଭାରତ ଯୁଦ୍ଧରେ ବିଜୟଲାଭ କରିଥିବାରୁ ବହୁତ ଖୁସି ଲାଗୁଥିଲା। ୨୦୦୭ରେ ମୁଁ ଅବସର ନେଲି। ତା’ପରେ ବ୍ୟାଙ୍କ ଅଫ ଇଣ୍ଡିଆର ରେମୁଣା ଶାଖାରେ ୨୦୦୯ରୁ ୨୦୨୦ ପର୍ଯ୍ୟନ୍ତ ଚାକିରି କଲି। ଏବେ ବାଲେଶ୍ୱରରେ ଥିବା ମୋ ଘରେ ଅବସର ସମୟ ବିତଉଛି।

ବୋଫର୍ସ ଗନ୍‌ର ଟେକ୍‌ନିକାଲ ଦାୟିତ୍ୱ ଥିଲା ମୋ ଉପରେ-ସୁବେଦାର ଇଂ. ରମେଶ ଚନ୍ଦ୍ର ପଣ୍ଡା
୧୯୯୯ ମସିହା ଜୁନ୍‌ ଶେଷ ସପ୍ତାହରେ ମୁଁ ଛୁଟିରେ ଘରକୁ ଆସିଥାଏ। ହଠାତ୍‌ ସେନା ବିଭାଗରୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଜରୁରୀ ଡାକରା ଆସିଲା। କାରଣ ସେତେବେଳେ ପାକିସ୍ତାନୀ ସେନା କାର୍‌ଗିଲ୍‌ ସେକ୍ଟରର ଭାରତୀୟ ସୀମାକୁ ଉଲ୍ଲଘଂନ କରି ସୁଉଚ୍ଚ ଟାଇଗର୍‌ ହିଲ ଉପରେ ଚଢି ତଳେ ଥିବା ଭାରତୀୟ ସେନା ଉପରେ ଆଖିବୁଜା ଗୁଳିବର୍ଷଣ ଆରମ୍ଭ କରି ଦେଇଥାଆନ୍ତି। ସମୁଦ୍ର୍ରପତ୍ତନଠାରୁ ପ୍ରାୟ ୧୨ଶହ ମିଟର ଉଚ୍ଚତାରେ ହୋଇଥିବା ଏହି ଲଢ଼େଇ ଭାରତୀୟ ସେନା ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। ତଥାପି ଧୈର୍ଯ୍ୟଧରି ସାହସ ଓ ଚତୁରତାର ସହ ଭାରତୀୟ ସେନା ଶତ୍ରୁପକ୍ଷକୁ ସାମ୍ନା କରୁଥାଆନ୍ତି। ତେଣୁ ମତେ ତୁରନ୍ତ ନିଜ ହେଡକ୍ୱାର୍ଟର କଶ୍ମୀର ପଟ୍ଟନରେ ପହଞ୍ଚିବାକୁ ପଡ଼ିଲା। ଏହାପରେ ମତେ କାର୍‌ଗିଲ ଜିଲ୍ଲା ଦ୍ରାସ୍‌ ସେକ୍ଟରର ଟାଇଗର ହିଲ୍‌କୁ ଲାଗି ରହିଥିବା ତୋଲୋନୀନ୍‌ ଘାଟି ଅଭିମୁଖେ ଯିବାକୁ ନିର୍ଦ୍ଦେଶ ଦିଆଗଲା। ହେଲେ ମୁଁ ଯୋଗ ଦେବାକୁ ଥିବା ବାଟାଲିଅନ୍‌ର ଲୋକେସନ୍‌ ସମ୍ପର୍କରେ କିଛି ଜାଣି ନ ଥିଲି। ବହୁକଷ୍ଟରେ ଦୁଇଦିନ ପରେ ଯାଇ ସେଠାରେ ପହଞ୍ଚତ୍ଥିଲି। ଆଉ ଜୁନିୟର୍‌ ଇଞ୍ଜିନିୟରଭାବେ ଯୋଗ ଦେଇଥିଲି। ବୋଫର୍ସ ଗନ୍‌ର ସମ୍ପୂର୍ଣ୍ଣ ଟେକ୍‌ନିକାଲ୍‌ ଦାୟିତ୍ୱ ଥିଲା ମୋ ଉପରେ। ବୋଫର୍ସ ଗନ୍‌ ରହୁଥିବା ସ୍ଥାନରୁ ପ୍ରାୟ ୧୫-୧୬ କି.ମି. ଦୂରରେ ରହି ଶତ୍ରୁପକ୍ଷ ଉପରେ ଟାର୍ଗେଟ୍‌ ସେଟ୍‌ କରିବା, ତା’ସହ ଖରାପ ହୋଇଯାଉଥିବା ଯନ୍ତ୍ରାଂଶଗୁଡିକୁ ତୁରନ୍ତ ମରାମତି କରିବା ଥିଲା ମୋ କାମ। ଏଥିପାଇଁ ଦିନରାତି କାମ କରିବାକୁ ପଡୁଥିଲା। ଯବାନମାନେ ବୋଫର୍ସ ଗନ୍‌ରେ ଫାୟାରିଂ କଲାବେଳେ ଫାୟାରିଂ ନ ହୋଇପାରିଲେ ବି ଯାଇ ଦେଖି ତାକୁ ଠିକ୍‌ କରୁଥିଲି। ଯୁଦ୍ଧର ଏହି ଘମାଘୋଟ ଲଢ଼େଇରେ ଅନେକ ସାଥୀ ଯବାନ ଶହୀଦ ହୋଇଥିଲେ। ହେଲେ ସେଥିରେ ବିଚଳିତ ନ ହୋଇ ନିଜକୁ ଦୃଢ଼ ରଖି କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡୁଥିଲା। ତେବେ ଏହା କେତେ ଯେ କଷ୍ଟକର ଥିଲା ତାହା ମନେପଡ଼ିଲେ ଦେହ ଶିହରେଇଯାଏ। ଏମିତି ବି ହେଉଥିଲା ସାଥୀ ଯବାନଙ୍କ ମୃତ ଶରୀର ୩ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଭୂମିରେ ପଡ଼ିରହୁଥିଲା। ଉଠାଇ ଆଣି ହେଉ ନ ଥିଲା। କାରଣ ପାକିସ୍ତାନୀ ସେନା ପକ୍ଷରୁ ହେଉଥିଲା ତୁହାକୁ ତୁହା ଗୁଳିବର୍ଷଣ। ଶେଷରେ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ବିଜୟର ଧ୍ୱଜା ଉଡ଼ାଇବାକୁ ସକ୍ଷମ ହୋଇଥିଲେ। ସେତେବେଳେ ଯୁଦ୍ଧ ସମ୍ପର୍କିତ ଖବର ଟିଭି, ରେଡିଓ ଓ ଖବରକାଗଜରେ ଆସୁଥିଲା। ଘରେ ଥିବା ମୋ ସ୍ତ୍ରୀ ତପେଶ୍ୱରୀ ସେଇଥିରୁ ଖବର ପାଉଥାନ୍ତି। ସେତେବେଳେ ସେ ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକର ଏକ ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଆମର ୨ବର୍ଷର ଶିଶୁକନ୍ୟାକୁ ଧରି ଶିକ୍ଷକତା କରୁଥିଲେ। ସେ ମନରେ ଦୃଢ଼ ଆତ୍ମବିଶ୍ୱାସ ରଖିଥିଲେ ଯେ, ମୋର କିଛି ଅମଙ୍ଗଳ ହେବ ନାହିଁ ଏବଂ ଯୁଦ୍ଧରେ ଭାରତର ବିଜୟ ନିଶ୍ଚିତ ହେବ। ଶେଷରେ ସେୟା ହିଁ ହୋଇଥିଲା। ଭାରତର ବିଜୟ ହୋଇଥିଲା। ଏବେ ମୁଁ ଅବସର ନେଇ ସାରିଛି। ସୁନ୍ଦରଗଡ ଟାଉନ୍‌ରେ ଥିବା ମୋ ଘରେ ପରିବାର ସହ ରହୁଛି। ହେଲେ ପ୍ରତିବର୍ଷ ଏହି କାରଗିଲ ବିଜୟ ଦିବସ ଆସିଲେ ମନେପଡ଼ିଯାଏ ସେତେବେଳର ଯୁଦ୍ଧ ବିଭୀଷିକା ଓ ଭାରତୀୟ ସେନାର ବୀରତ୍ୱର ଗାଥା ।
ଲ୍ୟାଣ୍ଡମାଇନ ଫୁଟି ଅନେକ ସାଥୀ ଶହୀଦ ହେବା ସହ ଗୁରୁତର ଆହତ ହୋଇଥିଲେ- ଅନନ୍ତ କୁମାର ପାତ୍ର, ହାବିଲଦାର
ମୁଁ ହତିଆର ଟ୍ରେନିଂ ଦେବା ପାଇଁ ଇନଫାଣ୍ଟ୍ରି ସ୍କୁଲ ମଉରେ ଥାଏ। ହଠାତ୍‌ ଆର୍ମି ହେଡକ୍ୱାର୍ଟର୍‌ରୁ ମେସେଜ୍‌ ଆସିଲା ମୋ ଇନ୍‌ଷ୍ଟ୍ରକ୍ଟର ପୋଷ୍ଟିଂ କ୍ୟାନ୍‌ସେଲ ହେଲା। ଆଉ ମତେ କାର୍‌ଗିଲ ଲଢ଼େଇରେ ଯାଇ ଯୋଗ ଦେବାକୁ ହେବ। ମୁଁ ଚାର୍ଲି କମ୍ପାନୀରେ ଥାଏ। ରାମପାଲ ୟାଦବ ଥିଲେ କମ୍ପାନୀ କମାଣ୍ଡର। ତାଙ୍କ ସହ ଆମେ ବାହାରିଥିଲୁ। ଆମ ଲୋକେଶନ୍‌ ମେନ୍‌ରୋଡରୁ ୧୨-୧୪ ଘଣ୍ଟା ଚାଲିବା ପରେ ଥିଲା। ଦିନରେ ତ କିଛି ହରକତ କରି ହେଉ ନ ଥିଲା। ପାଖରେ ନଦୀ ଥିଲେ ବି ପାଣି ପିଇବାକୁ ଯାଇପାରୁ ନ ଥିଲୁ। କାରଣ ପାକିସ୍ତାନୀଙ୍କ ନଜରକୁ ଆସିଲେ ସେମାନେ ଗୁଳିମାରିବା ଆରମ୍ଭ କରିଦେବେ। ଖାଇବା ତ ଆମେ ଭୁଲି ଯାଇଥିଲୁ। କେମିତି ନିଜେ ବଞ୍ଚତ୍ବୁ, ସାଥୀଙ୍କୁ ବଞ୍ଚେଇବୁ ତା’ସହ ଆଗକୁ ବଢିବୁ ଏଇଆ ଥିଲା ଲକ୍ଷ୍ୟ। ଆମେ ଫ୍ରଣ୍ଟ କମ୍ପାନୀରେ ନ ଥିଲୁ। ଡେପ୍‌ଥ ବା ବ୍ୟାକ୍‌ କମ୍ପାନୀରେ ଥିଲୁ। ଗୋଟିଏ କମ୍ପାନୀରେ ୧୦୦ରୁ ଊର୍ଦ୍ଧ୍ୱ ଜଣ ରହୁଥିଲେ। ଫ୍ରଣ୍ଟ କମ୍ପାନୀ ମୁହଁାମୁହିଁ ଲଢିଥିଲେ ପାକିସ୍ତାନୀ ସୈନ୍ୟଙ୍କ ସହ। ଆମ କମ୍ପାନୀ ପୋଜିଶନ୍‌ ନେଇ ରହିଥିଲୁ। ଆଉ ଫାୟାରିଂ କରି ଫ୍ରଣ୍ଟ କମ୍ପାନୀଙ୍କୁ ଆଗକୁ ଯିବାକୁ ସାହାଯ୍ୟ କରୁଥିଲୁ। ହାତାହାତି ପାକିସ୍ତାନୀ ସୈନ୍ୟଙ୍କ ସହ ଲଢି ନ ଥିଲେ ହେଁ ଆମ କମ୍ପାନୀର ବହୁତ ଜଣ ଆହତ ହୋଇଥିଲେ। କାରଣ ପାକିସ୍ତାନୀମାନେ ରାସ୍ତାର ଠାଏ ଠାଏ ମାଇନ୍‌ ଲଗେଇଥିଲେ। ଆଉ ତା’ ଉପରେ ଅଜାଣତରେ ଯାଇ ଅନେକ ସାଥୀ ଗୁରୁତର ଆହତ ହୋଇଥିଲେ। ପାଦେ ପାଦେ ବିପଦ ଦେଇ ଆମେ ଗତି କରୁଥିଲୁ। ଏହାଛଡା ପାକିସ୍ତାନୀମାନେ କିଛି ସୁନ୍ଦର ରଙ୍ଗିନ ମାଇନ୍‌ ଆର୍‌ଟିଲାରୀ ଫାୟାର୍‌ ଦ୍ୱାରା ଆମ ଆଡଭାନ୍ସ ରାସ୍ତାରେ ପକାଇଥିଲେ। ତାହା ଫୁଟି ମଧ୍ୟ କେତେଜଣ ଶହୀଦ ହୋଇଯାଇଥିଲେ। ଆମ ଫ୍ରଣ୍ଟ କମ୍ପାନୀ ପାକିସ୍ତାନୀ ପୋଷ୍ଟ ଉପରେ ବିଜୟ ଲାଭ କରିବା ପରେ ହୋଇଥିବା ସର୍ଚ୍ଚ ଅପରେଶନ୍‌ ବେଳେ ବି ପୋଷ୍ଟ ଛାଡି ପୂର୍ବରୁ ପାକିସ୍ତାନୀ ଖଞ୍ଜିଯାଇଥିବା ଲାଣ୍ଡ ମାଇନ୍‌ ଫୁଟି ସାଥୀମାନେ ଆହତ ହୋଇଥିଲେ। ଏଇ ଆଖିରେ ଦେଖିଛି ଲ୍ୟାଣ୍ଡମାଇନ୍‌ ବ୍ଲାଷ୍ଟ ହୋଇ ଅନେକ ସାଥୀଙ୍କ ଗୋଡ ଛିଣ୍ଡି ବହୁ ଦୂରକୁ ପଡିଥିଲା। ତେବେ ଭୋକ ହେଉଥିବାରୁ ପାକିସ୍ତାନୀ ସୈନ୍ୟ ଛାଡି ଯାଇଥିବା ଚଣାଗୁଡ ଭଳି କିଛି ଖାଦ୍ୟ ଖାଇଥିଲୁ ଓ ଥିବା ରାଶନକୁ ନେଇ ଆସିଥିଲୁ। ଯୁଦ୍ଧବେଳେ ବାଲେଶ୍ୱର ଜିଲା ବଡାଶରେ ରହୁଥିବା ମୋ ସ୍ତ୍ରୀ ସାନପୁଅକୁ ଜନ୍ମ ଦେଇଥିଲେ। ତେଣୁ ପୁଅର ନାଁ ମୁଁ ସଂଗ୍ରାମ ଦେଇଛି। ଯେତେବେଳେ କାହାର ସ୍ବାମୀ କି ପୁଅ ଯୁଦ୍ଧ ଭୂମିରେ ଥାଆନ୍ତି ସେମାନଙ୍କ ମାନସିକତା କିଭଳି ଥାଏ, କେବଳ ସେମାନେ ହିଁ କହିପାରିବେ। ସେମିତି କିଛି ସ୍ଥିତି ଥିଲା ମୋ ପରିବାର ଲୋକଙ୍କର। ତେବେ ଯୁଦ୍ଧ ବିଜୟ ସହ ମୁଁ ଭଲରେ ଥିବାରୁ ସମସ୍ତେ ବହୁତ ଖୁସି ହୋଇଥିଲେ। ହେଲେ ଆଜି ବି ଦୁଃଖ ଲାଗେ ସେଇ ସାଥୀଙ୍କ ଲାଗି ଯେଉଁମାନେ ଆଉ ଫେରି ପାରିଲେ ନାହିଁ।

ଦିନରେ ପଥର ଖୋଲରେ ଲୁଚି ରାତିରେ କରୁଥିଲୁ ଆକ୍ରମଣ- ବିପିନ ବିହାରୀ ଦାସ, କ୍ୱାର୍ଟର ମାଷ୍ଟର
ଢେଙ୍କାନାଳ ଜିଲା, କାମଧେନୁକୋଟ ମୋ ଗାଁ। ଗୋଟେ ମାସ ଛୁଟି ନେଇ ମୁଁ ଘରକୁ ଆସିଥାଏ। ମନ ଭାରି ଖୁସିଥାଏ। ହେଲେ ଘରେ ପହଞ୍ଚତ୍ଲାବେଳକୁ ଦେଖିଲି ପୋଷ୍ଟମାଷ୍ଟର ହାତରେ ଏକ ଟେଲିଗ୍ରାମ୍‌ ଧରି ଠିଆ ହୋଇଥିଲେ। ଟେଲିଗ୍ରାମ୍‌ଟିକୁ ଖୋଲି ଦେଖିବାପରେ ଜାଣିଲି ମୋର ଛୁଟି କ୍ୟାନସେଲ ହୋଇଯାଇଛି। ଆଉ ୟୁନିଟ୍‌ରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଘରେ ପାଣି ଟିକେ ପିଇ ଦେଇ ପୁଣି ଫେରିଥିଲି। ଫେରିବାବେଳେ ବିଭିନ୍ନ ଷ୍ଟେଶନ୍‌ରେ ଲୋକଙ୍କ ଭଲ ପାଇବା ଦେଖି ଭାରି ଖୁସି ଲାଗିଥିଲା। ଅନେକେ ତ ଆମ ପାଇଁ ଖାଇବା ତିଆରି କରି ଆଣି ଆମକୁ ଦେଇଥିଲେ। ସେଇ ଭଲ ପାଇବା ଦେଖି ମନରେ ଲଢ଼ିବାର ବଳ ଚାଲି ଆସିଥିଲା। କାର୍‌ଗିଲ୍‌ ଯୁଦ୍ଧ ବିଷୟରେ ଜାଣିବାପରେ ଲୋକଙ୍କ ମନରେ ଆମ ପାଇଁ ଏତେ ସମ୍ମାନ ଓ ଭଲ ପାଇବା ଦେଖି ବହୁତ ଖୁସି ଲାଗୁଥିଲା। ପହଞ୍ଚତ୍ବା ପରେ ବେସ୍‌୍‌ରେ ଯୋଗ ଦେଇ ଲଢ଼େଇ ପାଇଁ ମୁଭ୍‌ କରିଥିଲି। ଦିନବେଳେ ପଥର ଖୋଲ ତଳେ ଲୁଚି ରହି ରାତିରେ ବିପଜ୍ଜନକ ନଙ୍ଗା ପାହାଡ଼ ଚଢୁଥିଲୁ। ଆମେ ଉପରେ ରହୁଥିବାରୁ ତଳୁ ଦିନକୁ ଥରେ କିଛି ଭାରତୀୟ ସେନା ପାହାଢ଼ ଚଢି ୧୫-୧୬ ଖାସ୍ତା ରୁଟି, ଡାଲି ଓ ଜଣକା ୨ ଲିଟର ପାଣି ଦେଉଥିଲେ, ଯାହାକୁ ଦୁଇ ଦିନ ବ୍ୟବହାର କରିବାକୁ ପଡୁଥିଲା। ଆମେ ପ୍ରାୟ ରାତିରେ ଆଟାକ କରୁଥିଲୁ। ଚୁପ୍‌ଚାପ ଯାଇ ପାକିସ୍ତାନ ଅକ୍ତିଆର କରିଥିବା ପୋଷ୍ଟକୁ ଆଟାକ କରି ସେମାନଙ୍କୁ ହରେଇ ପୋଷ୍ଟ ଖାଲି କରୁଥିଲୁ। ଫାୟାରିଂ କରି, ତାଙ୍କ ବଙ୍କର ଉପରେ ହ୍ୟାଣ୍ଡ ଗ୍ରେନେଡ ଫୋପାଡି ଧ୍ୱସ୍ତ କରିବା ସହ ଆବଶ୍ୟକ ସ୍ଥଳେ ଖୋକରୀ ସାହାଯ୍ୟରେ ମୁହାଁମୁହିଁ ଯୁଦ୍ଧ ବି ହେଉଥିଲା। ଅନେକ ସମୟରେ ଆମେ ଫେରିବା ପରେ ପାକିସ୍ତାନୀ ପୁଣି ସେହି ପୋଷ୍ଟକୁ ଅକ୍ତିଆର୍‌ କରୁଥିଲେ। ତାଙ୍କ ଉପରେ ଆଉ ଥରେ ଆକ୍ରମଣ କରାଯାଉଥିଲା। ସେମାନେ ପୋଷ୍ଟ ଛାଡିବାବେଳେ ମାଇନ୍‌ ଖଞ୍ଜି ଦେଉଥିଲେ। ଫଳରେ ଆମର କିଛି ସାଥୀ ଆହତ ହେବା ସହ କେତେଜଣ ଶହୀଦ ବି ହୋଇଥିଲେ। ଆଖି ସାମ୍‌ନାରେ ସାଥୀ ଯବାନ ସଚ୍ଚିଦାନନ୍ଦ ମଲିକଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଆଉ ସେ ଭୂମି ଉପରେ ଟଳିପଡିଥିଲେ। ଖାଲି ସିଏ ନୁହନ୍ତି ଶ୍ରୀନିବାସ ପାତ୍ର ଶହୀଦ ହେବାବେଳେ ବି ମୁଁ ଦେଖିଛି। ସାଥୀମାନଙ୍କୁ ହରାଇବା ଯେ କେତେ କଷ୍ଟ ଦେଉଥିଲା ତାହା କହିହେବନି। ଯୁଦ୍ଧ ସରିବା ପରେ ପାକିସ୍ତାନୀମାନେ ଛାଡି ଯାଇଥିବା ହତିଆରକୁ ପାହାଡ଼ ଉପରୁ ତଳକୁ ଆଣିବା ବି ଥିଲା ବହୁତ କଷ୍ଟଦାୟକ। ହେଲେ ଯୁଦ୍ଧ ବିଜୟ ପରେ ହୋଇଥିବା ବଡ଼ଖାନା(ଭୋଜି) ଓ ନାଚଗୀତର ଆସର ଭୁଲେଇ ଦେଇଥିଲା ସବୁ କଷ୍ଟ। ୟା’ ମଧ୍ୟରେ ଯୁଦ୍ଧସରିବାର ଅନେକ ବର୍ଷ ବିତିଗଲାଣି। ଏବେ ମୁଁ କଟକ ବାଲିକୁଦରେ ରହୁଛି। ରେଲଓ୍ବେରେ ଟେକନିସିଆନ୍‌ ଭାବେ କାମ କରୁଛି। ତେବେ ଯୁଦ୍ଧର ଭୟାବହତାକୁ ଯିଏ ଅଙ୍ଗେ ନିଭେଇଛି ସେ କେବେ ବି ଆଉ ଯୁଦ୍ଧ ହେଉ ବୋଲି ଚାହିଁବନି। ମୁଁ ବି ଚାହେଁ ଆଗକୁ ଯେମିତି ଆଉ କୌଣସି ଯୁଦ୍ଧ ନ ହେଉ କି ଏ ଧରଣୀ ରକ୍ତରେ ନ ଗାଧଉ।

ଅନେକ ତ୍ୟାଗ ଓ ବଳିଦାନ ପରେ ମିଳିଥିଲା କାର୍‌ଗିଲ ଯୁଦ୍ଧରେ ବିଜୟ। ଯୁଦ୍ଧ ମାନେ ହିଁ ରକ୍ତପାତ। ସେ ଶତ୍ରୁର ହେଉ ଅବା ନିଜର। ତେଣୁ ଆଉ ନ ହେଉ ଯୁଦ୍ଧ କି ନ ହେଉ ଏ ଧରା ରକ୍ତରଞ୍ଜିତ।
-ଶିବାନୀ ମହାନ୍ତି
-ଜୟନାରାୟଣ ମେଣ୍ଡୁଳି(ସୁନ୍ଦରଗଡ)


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍‌ରେ କିଣାଯାଇ ପାରିବ ସୁନା

ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍‌ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ...

୧୧ ସହ ଗୁଣନର ସରଳ ଟ୍ରିକ୍‌

ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ...

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଖବର ଆସିଲା ଏହି ବ୍ୟକ୍ତିଙ୍କୁ କରୋନା, ଆଉ ତା’ ପରେ…

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ, ଲୋକମାନେ ଏହି...

ଖାଲି ମାଙ୍କଡ଼ ନୁହେଁ: ଗଛରୁ ଗଛକୁ ଡେଉଁଛି ବାଘ; ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଇ-କାର୍‌ରେ ୩ ବର୍ଷରେ ୩୦ ଦେଶ ବୁଲିଲେ

ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍‌ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍‌ରେ...

ଯେଉଁଠି ଘରକୁ ଫେରେ ଅଧାଜଳା ମୃତ ଶରୀର

ସାଧାରଣ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ...

ପାକିସ୍ତାନରେ ରହିଛି ଏକ ଅଜବ ନିୟମ, ଯାହା ଆଗରୁ କେବେ ଶୁଣି ନ ଥିବେ

ପ୍ରତ୍ୟେକ ଦେଶରେ ଅନେକ ନିୟମ ରହିଛି। ସେଥିମଧ୍ୟରୁ କିଛି ଅଜବ ନିୟମ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଅନେକ ଅଜବ...

Advertisement
Archives

Model This Week