ଏବେ ରୋଷେଇ କରିବେ ବେବୋ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାଁ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା। ଅଭିନୟରେ ସବୁବେଳେ କିଛି ନୂଆ କରି ଦେଖାଇବାର ଇଛା ରଖିଥିବା ବେବୋ ଏବେ ଭିନ୍ନ ଅବତାରରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ପ୍ରଥମ ଗର୍ଭାବସ୍ଥା ଭଳି ଦ୍ୱିତୀୟ ଗର୍ଭାବସ୍ଥାରେ ମଧ୍ୟ କରୀନା କାମ ସହ କୌଣସି ସାଲିସ କରିନାହାନ୍ତି। ପ୍ରଥମ ଗର୍ଭାବସ୍ଥା ସମୟରେ ସେ ବଲିଉଡ୍‌ ପରଫେକ୍ଟନିଷ୍ଟ ଆମିର ଖାଁଙ୍କ ସହ ଫିଲ୍ମ ଲାଲ ସିଂହ ଚଡ୍ଡାରେ ଅଭିନୟ କରିଥିଲେ। ସେହିପରି ଦ୍ୱିତୀୟ ଗର୍ଭାବସ୍ଥାରେ ବି ସେ ବେଶ୍‌ କିଛି ଦିନର ବିରତି ପରେ ପୁଣି ନିଜ କାମକୁ ଫେରିଛନ୍ତି। ପୂର୍ବରୁ ଛୋଟ-ବଡ଼ ବିଜ୍ଞାପନର ଶୁଟିଂ କରୁଥିବା ବେଳେ ଏବେ ନୂଆ କୁକିଂ ଶୋ’ରେ କରୀନା ନଜର ଆସିବେ। ଏହାର ଏକ ଝଲକକୁ ବେବୋ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସୂଚନା ମୁତାବକ ନୂଆ କୁକିଂ ଶୋ’ ‘ଷ୍ଟାର ଭର୍ସେସ ଫୁଡ୍‌’ର ଏକ ଟିଜରକୁ କରୀନା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ରୋଷେଇ କରୁଥିବାର ନଜର ଆସିଛନ୍ତି। ଏହି ଶୋ’ରେ ତାଙ୍କ ବ୍ୟତୀତ ବଲିଉଡ୍‌ ପ୍ରଯୋଜକ ଓ ନିର୍ଦ୍ଦେଶକ କରନ ଜୋହର, ଅଭିନେତ୍ରୀ ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର ବି ନଜର ଆସିବେ। ଏହି ଶୋ’ ଏପ୍ରିଲ ୧୫ରେ ଡିସ୍‌କଭରି ପ୍ଲସ ଚ୍ୟାନେଲରେ ପ୍ରସାରିତ ହେବ। ତେବେ ଏହାକୁ ଦେଖିବା ପାଇଁ ନିଜେ ସେ ବେଶ୍‌ ଉତ୍ସାହିତ ଅଛନ୍ତି ବୋଲି କରୀନା କହିଛନ୍ତି।

Share