ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି ହେଲେ କରିନା କପୁର ଏବଂ ହ୍ରିତିକ ରୋଶନ, ‘କଭି ଖୁସି କଭି ଗମ୍’ (K3G) ଚଳଚ୍ଚିତ୍ରରେ ଏକାଠି ନଜର ଆସିଥିଲେ। ଫିଲ୍ମରେ ଏହି ଯୋଡ଼ି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ, ପ୍ରାୟ ୨୫ ବର୍ଷ ପରେ, ଏହି ଦୁଇଜଣ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ସଙ୍କେତ ମିଳିଛି।
ସମ୍ପ୍ରତି କରଣ ଜୋହର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଟିଜର୍ ଭିଡିଓରେ କରିନା ତାଙ୍କର ସେହି ପ୍ରସିଦ୍ଧ ‘ପୂ’ (Poo) ଅନ୍ଦାଜରେ ନଜର ଆସିଥିବାବେଳେ ହ୍ରିତିକ ରୋଶନ ମଧ୍ୟ ଏକ ଆକର୍ଷକ ଲୁକ୍ରେ ଝଲକ ଦେଇଛନ୍ତି।
ରିପୋର୍ଟ ମୁତାବକ, କରିନା ଏବଂ ହ୍ରିତିକ ଏକ ‘Airbnb’ ବିଜ୍ଞାପନ ପାଇଁ ପୁଣିଥରେ ପରଦାକୁ ଫେରୁଛନ୍ତି। ଭିଡିଓରେ କରିନା ଲିପ୍ଷ୍ଟିକ୍ ଲଗାଉଥିବା ଦେଖିବାକୁ ମିଳିଛି, ଯାହା ୨୦୦୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଭି ଖୁସି କଭି ଗମ୍’ରେ ତାଙ୍କର ଚର୍ଚ୍ଚିତ ‘ପୂ’ ଚରିତ୍ରର ଏଣ୍ଟ୍ରିକୁ ମନେ ପକାଇ ଦେଉଛି। ସେହିପରି ଅନ୍ୟପଟେ ହ୍ରିତିକ ରୋଶନ ଲେଦର ଜ୍ୟାକେଟ୍ ଏବଂ ଜୁତା ପିନ୍ଧି ପ୍ରସ୍ତୁତ ହେଉଥିବା ନଜର ଆସିଛନ୍ତି, ଯାହା ଫିଲ୍ମରେ ତାଙ୍କର ‘ରୋହନ ରାୟଚନ୍ଦ’ ବା ‘ଲଡ଼ୁ’ ଚରିତ୍ରର ଝଲକ ଦେଉଛି। ତେବେ ତିଜର୍ରେ ଉଭୟଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇ ନାହିଁ, ଯାହା ଦର୍ଶକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି କରିଛି। ଭିଡିଓ ସେୟାର କରି କରଣ କ୍ୟାପସନ୍ରେ ଲେଖିଛନ୍ତି, “କିଛି କାହାଣୀ ୨୫ ବର୍ଷ ପରେ ମଧ୍ୟ ଶେଷ ହୁଏ ନାହିଁ।”
କରଣଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ନିଜର ଖୁସି ଜାହିର କରିବା ସହ ଉଭୟଙ୍କୁ ପରଦାରେ ଏକାଠି ଦେଖିବାକୁ ମତ ରଖିଛନ୍ତି। ନିର୍ଦ୍ଦେଶିକା ତହିରା କଶ୍ୟପ୍ କମେଣ୍ଟ କରି ଲେଖିଛନ୍ତି, “ଆମକୁ ଏହି ଦୁଇ ଜଣଙ୍କୁ ନେଇ ଏକ ଫିଲ୍ମ ଦରକାର।” ସେହିପରି ଅନ୍ୟ ଜଣେ ପ୍ରଶଂସକ ଏହା ଏକ ବିଜ୍ଞାପନ ବୋଲି ଜାଣି ପୂର୍ଣ୍ଣାଙ୍ଗ ଫିଲ୍ମର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୧ରେ ମୁକ୍ତିଲାଭ କରିଥିବା କରଣ ଜୋହରଙ୍କ ନିର୍ଦ୍ଦେଶିତ ‘କଭି ଖୁସି କଭି ଗମ୍’ରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହାରୁଖ ଖନ୍, କାଜୋଲ, ହ୍ରିତିକ ରୋଶନ ଏବଂ କରିନା କପୁରଙ୍କ ଭଳି ଦିଗ୍ଗଜ କଳାକାରାମାନେ ଅଭିନୟ କରିଥିଲେ। ଫିଲ୍ମରେ ହ୍ରିତିକ ‘ରାହୁଲ’ଙ୍କ ସାନଭାଇ ‘ରୋହନ’ ଏବଂ କରିନା ‘କାଜୋଲ’ଙ୍କ ସାନଭଉଣୀ ଭୂମିକାରେ ନଜର ଆସିଥିଲେ।