ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪ ଜଣ ଜୁ’ ବୁଲିଛନ୍ତି। ସଂକ୍ରମଣ ପ୍ରତିହତ କରିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏବଂ ବନ ବିଭାଗ ବିଶେଷ ଧ୍ୟାନ ଦେଉଥିବାବେଳେ ଆଗାମୀ ଦିନରେ ପର୍ଯ୍ୟଟକ ବଢ଼ିବା ସମ୍ଭାବନା ରହିଛି।
ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଗତ ମାର୍ଚ୍ଚ ୧୬ରୁ କପିଳାସ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା। ଏହାପରେ ସରକାର କଟକଣାଭିତ୍ତିରେ ଜୁ’ ଖୋଲିବାକୁ ଅନୁମତି ଦେଇଥିଲେ। ତଦ୍‌ନୁଯାୟୀ ପ୍ରସ୍ତୁତି ଆରମ୍ଭ କରିଥିଲା ବନ ବିଭାଗ। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ ଅନୁଯାୟୀ ଦିନକୁ ସର୍ବାଧିକ ୩୦୦ ପର୍ଯ୍ୟଟକ ବୁଲିପାରିବେ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ କଡାକଡି କରାଯାଇଛି। ସାନିଟାଇଜେଶନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ପ୍ରାଣୀ ଉଦ୍ୟାନ ଦାୟିତ୍ୱରେ ଥିବା କପିଳାସ ରେଞ୍ଜର ଗୌତମ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜିଲା ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନି ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ସେହିପରି ପ୍ରାଣୀ ଉଦ୍ୟାନ ଖୋଲିବା ପରେ କପିଳାସ ପାଦଦେଶରେ ଥିବା ଦୋକାନଗୁଡ଼ିକରେ ବ୍ୟବସାୟ ଆରମ୍ଭ ହୋଇଛି।