କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ ନିମନ୍ତେ ନିର୍ଦ୍ଧାରିତ ତାରିଖ ସୁଦ୍ଧା କେହି ଟେଣ୍ଡର ପକାଇ ନାହାନ୍ତି। ଗୁରୁବାର ଜିଲା କାର୍ଯ୍ୟାଳୟ ଦେବୋତ୍ତର ବିଭାଗରେ ଟେଣ୍ଡର ପକାଇବାର ଶେଷ ତାରିଖ ଥିଲେ ହେଁ ଗୋଟିଏ ହେଲେ ବି ଟେଣ୍ଡର ପଡ଼ିନାହିଁ। ସେହିପରି ସହରସ୍ଥିତ ଶ୍ରୀଦଧିବାମନ ଜୀଉ ପୀଠର ଅବଢ଼ା ଓ ପ୍ରସାଦ ପାଇଁ ମଧ୍ୟ କୌଣସି ଟେଣ୍ଡର ପଡ଼ିନାହିଁ। ଗତବର୍ଷର ଧାର୍ଯ୍ୟ ମୂଲ୍ୟରେ ଚଳିତବର୍ଷ ଅହେତୁକ ବୃଦ୍ଧି କରାଯିବା ଟେଣ୍ଡର ନ ପଡ଼ିବାର କାରଣ ବୋଲି କୁହାଯାଉଛି।
୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଅବଢ଼ା ଓ ପ୍ରସାଦ ନିମନ୍ତେ ଟେଣ୍ଡର ପକାଇବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଗତ ୧୪ ତାରିଖରେ ବିଜ୍ଞାପନ ପ୍ରକାଶ ପାଇଥିଲା। ୨୧ ମାର୍ଚ୍ଚ ପୂର୍ବାହ୍ନ ୧୧ଟା ମଧ୍ୟରେ ଟେଣ୍ଡର ପକାଇବା ପାଇଁ ଏଥିରେ ସୂଚନା ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଟେଣ୍ଡର ବାକ୍ସ ଖୋଲିବା ପରେ କେହି ଟେଣ୍ଡର ପକାଇ ନ ଥିବା ଜଣାପଡ଼ିଥିଲା। ଗତବର୍ଷ କପିଳାସ ପୀଠ ପାଇଁ ଟେଣ୍ଡର ନେଇଥିବା ମାନସ କୁମାର ସାହୁ ଓ ସର୍ବେଶ୍ୱର ସାହୁ, ବଳରାମ ମନ୍ଦିର ପାଇଁ ଟେଣ୍ଡର ନେଇଥିବା ଶିବରାମ ଦାସ, ଦଧିବାବନ ମଠ ପାଇଁ ଟେଣ୍ଡର ନେଇଥିବା ସଞ୍ଜୟ କୁମାର ସାହୁ ପ୍ରମୁଖ ପୁନର୍ବାର ଟେଣ୍ଡର ପକାଇବା ପାଇଁ ଇଚ୍ଛୁକ ଥିବାବେଳେ ବର୍ଦ୍ଧିତ ମୂଲ୍ୟକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଟେଣ୍ଡର ପକାଇ ନ ଥିଲେ। ବଳରାମ ମନ୍ଦିରରେ ପ୍ରସାଦ ତଥା ଅବଢ଼ା ଜଣକ ପିଛା ୮୦ ଟଙ୍କା, କପିଳାସ ପୀଠରେ ପ୍ରସାଦ ତଥା ଅବଢ଼ା ଜଣକ ପିଛା ୬୦ଟଙ୍କା ଓ ଦଧିବାମନ ଜୀଉଙ୍କ ପୀଠରେ ଜଣକ ପିଛା ୭୦ ଟଙ୍କାରେ ବିକ୍ରି ହେଉଥିଲା। ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି, ପୂର୍ବବର୍ଷ ମୂଲ୍ୟଠାରୁ ଚଳିତବର୍ଷ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଟେଣ୍ଡର ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ଟେଣ୍ଡର ପକାଇ ନ ଥିଲେ। ଏ ସମ୍ପର୍କରେ ଉପଜିଲାପାଳଙ୍କୁ ଜଣାଇ ଦିଆଯାଇଛି। ଜିଲାପାଳଙ୍କ ସହ ଉପଜିଲାପାଳ ଆଲୋଚନା କରିବା ପରେ ଏ ସଂକ୍ରାନ୍ତରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଦେବୋତ୍ତର ନିରୀକ୍ଷକ ପ୍ରକାଶ କରିଛନ୍ତି।