Categories: ଜାତୀୟ

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଲୋକେ କଂଗ୍ରେସ ଛାଡି ଚାଲିଯାଉଛନ୍ତି । ଏବେ ସମୟ ଆସିଛି ଚିନ୍ତା କରିବାର ଯେ ଦଳକୁ କିଭଳି ମଜଭୁତ କରାଯିବ । ସେ କହିଛନ୍ତି ଆମ ଦଳରେ ବର୍ତ୍ତମାନ କେହି ଅଧ୍ୟକ୍ଷ ନାହାନ୍ତି । ହେଲେ କିଏ ସବୁ କଥାର ନିଷ୍ପତ୍ତି ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେ ଜାଣିଛୁ ପୁଣି ଜାଣିନୁ ଆମେ ଏବେ କାହିଁକି ଏଭଳି ପରିସ୍ଥିତିରେ ପହଞ୍ଚିଛୁ । ଏଥିପାଇଁ ସିଡବ୍ଲୁସି ବୈଠକ ଡାକିବା ଜରୁରୀ ତା’ହେଲେ ଯାଇ ଖୋଲାଖୋଲି ଆଲୋଚନା ହୋଇ ପାରିବ । ଯାହା ସାର୍ବଜନିକ ଭାବେ ହୋଇ ପାରୁ ନାହିଁ । ଯଦି ଦଳରେ ଅଧ୍ୟକ୍ଷ ଥାଆନ୍ତେ ନିର୍ବାଚିତ ସିଡବ୍ଲସି ଥାଆନ୍ତେ ତେବେ ଏମିତି ଘଟଣା ଘଟନ୍ତା ନାହିଁ । ଦେଶ ହେଉ ଅବା ଦଳ ଏଥିରେ ଏକାଧିକାର ହେବା ଅନୁଚିତ ବୋଲି ସିବଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋଭଳି କଂଗ୍ରେସ ନେତାଙ୍କ ପାଇଁ କହୁଛି ଯେଉଁମାନେ ଗତବର୍ଷ ଅଧ୍ୟକ୍ଷ ପଦ ଓ ସିଡବ୍ଲୁସି ନିର୍ବାଚନକୁ ନେଇ ଚିଠି ଲେଖିଥିଲେ । କଂଗ୍ରେସ ଆଜିର ସ୍ଥିତି ମୋ ହୃଦୟକୁ ଭାଙ୍ଗି ଦେଇଛି । ଦେଶ ବର୍ତ୍ତମାନ ବହୁ ସମସ୍ୟାର ସମ୍ମୁଖୀନ ହେଉଛି । ଚାଇନା ଆମ ସୀମାରେ ପ୍ରବେଶ ଉଦ୍ୟମ କରୁଛି, ଆଫଗାନିସ୍ତାନକୁ ନେଇ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠୁଛି, ଗରିବ ଓ ବେକାରି ବଢିବାରେ ଲାଗିଛି । ଏବେ ଆମକୁ ଲଢିବା ଦରକାର । ହେଲେ ଆମ ନେତା ଆମକୁ ଛାଡି ଚାଲିଯାଉଛନ୍ତି । ଏହାକୁ ନେଇ ସିବଲ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏବେ କଂଗ୍ରେସ ଏକାଠି ହୋଇ ଲଢିବା ଦରକାର ।

Share