Categories: ଖେଳ

ମୃତ୍ୟୁକୁ ନେଇ ଗୁଜବ, ମୁହଁ ଖୋଲିଲେ ମହାନ ଅଲରାଉଣ୍ଡର

ଆଜିକାଲି ସୋସିଆଲ ମିଡିଆରେ ନକଲି ଖବର ପ୍ରତି ସତର୍କ ରହିବା ଆବଶ୍ୟକ। ସୋମବାର ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଦେହାନ୍ତ ହୋଇଥିବା ଖବର ଗୁଜବ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। ଏହି ଖବର ନିଆଁ ପରି ବ୍ୟାପି ଯାଇଥିଲା। ଶେଷରେ କପିଲଙ୍କୁ ଏହି ଗୁଜବକୁ ଖାରଜ କରିବା ପାଇଁ ଏକ ଭିଡିଓ ରିଲିଜ କରିବାକୁ ପଡିଥିଲା। ମହାନ ଅଲରାଉଣ୍ଡର ତଥା ଭାରତର ପ୍ରଥମ ବିଶ୍ବକପ ବିଜୟୀ ଅଧିନାୟକ କପିଲ ଦେବ ସଂପୂର୍ଣ୍ଣ ସୁସ୍ଥ ଓ ସତେଜ ଅଛନ୍ତି। ନିଜେ କପିଲ ଏକ ୨୧ ସେକେଣ୍ଡର ଭିଡିଓ ପ୍ରକାଶ କରି ଏକଥା କହିଛନ୍ତି। ତା’ ସହ ଚଳିତ ମାସ ୧୧ରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଗତ ମାସରେ କପିଲ ଦେବଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ ତାଙ୍କୁ ଅକ୍ଟୋବର ୨୫ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହେବା ପରେ କପିଲ ନିଜ ଘରେ ରହି ବିଶ୍ରାମ ନେଉଥିଲେ। ତେବେ ଏହି ୬୧ ବର୍ଷୀୟ କ୍ରିକେଟ କିମ୍ବଦନ୍ତୀ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଚର୍ଚ୍ଚା ସୋମବାର ସକାଳୁ ସୋସିଆଲ ମିଡିଆରେ ଆରମ୍ଭ ହୋଇ ଯାଇଥିଲା। ଏପରିକି କିଛି ଦାୟିତ୍ୱହୀନ ବ୍ୟକ୍ତି ତାଙ୍କର ପରଲୋକ ହୋଇଯାଇଛି ବୋଲି ଲେଖିଥିଲେ।

Share