Categories: ଖେଳ

ଆହତ ଗିଲଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଖେଳାଇବା ଚର୍ଚ୍ଚାକୁ ନେଇ ବର୍ଷିଲେ କପିଲ ଦେବ: ଚୟନକର୍ତ୍ତାଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୪।୭: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଓପନର୍‌ ଶୁଭମନ ଗିଲ ଆହତ ହୋଇଛନ୍ତି। ଏଥିପାଇଁ ସେ ଅତିକମ୍‌ରେ ଦୁଇମାସ କ୍ରିକେଟଠାରୁ ଦୂରରେ ରହିବେ। ଯଦି ସେ ଫିଟ୍‌ ନ ହୁଅନ୍ତି ତେବେ ସିରିଜ୍‌ରୁ ବାହାରି ମଧ୍ୟ ପାରନ୍ତି। ଏଭଳି ପରିସ୍ଥିତିରେ ଯୁବ ଓପନର୍‌ ପୃଥ୍ବୀ ଶ’ ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିବା ନେଇ ଚର୍ଚ୍ଚା ହେଉଛି। ଏପରିକି ଶୁଭମନଙ୍କ ସ୍ଥାନରେ ତାଙ୍କୁ ଦଳକୁ ଆଣିବା ଲାଗି ଭାରତୀୟ ଟିମ୍‌ ପକ୍ଷରୁ ଦାବି କରାଯାଇଥିବା କୁହାଯାଉଛି। ହେଲେ ଏହି ଚର୍ଚ୍ଚାକୁ ନେଇ ପୂର୍ବତନ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ରାଗି ଯାଇଛନ୍ତି। ସେ ଚୟନକର୍ତ୍ତାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି।

ପୃଥ୍ବୀ ଏବେ ସୀମିତ ଓଭର ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ହେଲେ ସେଠାରୁ ତାଙ୍କୁ ଇଂଲଣ୍ଡ ପଠାଇବା ଆଲୋଚନାକୁ ନେଇ କପିଲ କହିଛନ୍ତି, ଏଭଳି କରିବାର ଆବଶ୍ୟକତା ନ ଥିବା ମୁଁ ଭାବୁଛି। ଚୟନକର୍ତ୍ତାଙ୍କର ମଧ୍ୟ କିଛି ସମ୍ମାନ ରହିବା ଉଚିତ। ସେମାନେ ଏକ ଦଳ ବାଛିଛନ୍ତି। ମୁଁ ନିଶ୍ଚିତ ଯେ ସେମାନଙ୍କର(ଶାସ୍ତ୍ରୀ ଏବଂ କୋହଲି) ପରାମର୍ଶ ବିନା ଏହା ହୋଇ ନ ଥିବ। ଦଳରେ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଭଳି ଦୁଇଟି ବଡ ଓପନିଂ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ତଥାପି ତୃତୀୟ ବିକଳ୍ପର ଆବଶ୍ୟକତା କ’ଣ ପାଇଁ ପଡ଼ିଛି ତାହା ଜଣାନାହିଁ। ଏହା ମଧ୍ୟ ଠିକ୍‌ ନୁହେଁ। ଦଳରେ ଥିବା ଓପନର୍‌ଙ୍କୁ ଖେଳାଇବା ଉଚିତ୍‌। ନଚେତ ଦଳରେ ଥିବା ଖେଳାଳିଙ୍କ ପାଇଁ ଏହା ଅପମାନ ହେବ ବୋଲି କପିଲ କହିଛନ୍ତି।

ଅଧିନାୟକ ଏବଂ ମ୍ୟାନେଜମେଣ୍ଟ ସେମାନଙ୍କ ମତାମତ ଦିଅନ୍ତୁ, ହେଲେ ଚୟନକର୍ତ୍ତାଙ୍କୁ ଅଣଦେଖା କରିବା ମୂଲ୍ୟରେ ନୁହେଁ। ଯେଉଁ ଖେଳାଳିଙ୍କୁ ଦଳରେ ନେଇଛ ତାଙ୍କୁ ତୁମେ ଛାଡ଼ି ପାରିବ ନାହିଁ। କାରଣ ସେମାନେ ବଡ଼ ଖେଳାଳି। ସେଭଳି କିଛି ହେଉ ବୋଲି ମୁଁ ଚାହେଁନାହିଁ। କାହିଁକିନା କୌଣସି ଅନାବଶ୍ୟକ ବିବାଦର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Share