ଟୋକିଓ: ଜାପାନର କାନ୍ସାଇ ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏକ୍ସ) ଏବେ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ଓସାକା ଉପସାଗରର ମଧ୍ୟଭାଗରେ ୨ଟି କୃତ୍ରିମ ଦ୍ୱୀପ ଉପରେ ନିର୍ମିତ ଏହି ବିମାନବନ୍ଦର କ୍ରମାଗତ ଭାବେ ସମୁଦ୍ରରେ ବୁଡ଼ିବାକୁ ଲାଗିଛି। ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପର ପୃଷ୍ଠ ଗତ କିଛିବର୍ଷ ମଧ୍ୟରେ ୩.୮୪ ମିଟର ପର୍ଯ୍ୟନ୍ତ ସମୁଦ୍ରରେ ବୁଡ଼ିଛି, ଯାହା ବିମାନବନ୍ଦରର ସ୍ଥାୟିତ୍ୱକୁ ନେଇ ଦୀର୍ଘକାଳୀନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୯୪ ମସିହାରେ ଏହି ବିମାନବନ୍ଦର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିଥିଲା। ସେବେଠାରୁ ଏହି ଏୟାରପୋର୍ଟର ଅନେକ ଅଂଶ ସମୁଦ୍ରରେ ବୁଡ଼ି ସାରିଲାଣି। ଏକ ନରମ ସମୁଦ୍ର ମାଟିରେ ନିର୍ମିତ ଏହି ଉତ୍କୃଷ୍ଟ ଡିଜାଇନ୍ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ବହୁ ଦ୍ରୁତ ଗତିରେ ସମୁଦ୍ରରେ ବୁଡ଼ିଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ବିମାନବନ୍ଦରର ନରମ ମାଟିର ମୂଳଦୁଆ ଏହାର ଭାରି ଓଜନକୁ ସହ୍ୟ କରିପାରୁ ନ ଥିବା ବିଶେଷଜ୍ଞମାନେ କହିଛନ୍ତି। ସାମ୍ପ୍ରତିକ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ପ୍ରାକୃତିକ ପରିବର୍ତ୍ତନ ଏହି ଏୟାରପୋର୍ଟକୁ ଧୀରେ ଧୀରେ ସମୁଦ୍ରର ଗଭୀରତା ଆଡ଼କୁ ନେଇଯାଉଛି, ଯାହାଫଳରେ ଭବିଷ୍ୟତରେ ଏହାର ସ୍ଥାୟିତ୍ୱକୁ ନେଇ ବିପଦ ସୃଷ୍ଟି ହୋଇଛି। ୨୦୧୮ରେ ଜେବି ବାତ୍ୟା ପ୍ରଭାବରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା କାନ୍ସାଇ ବିମାନବନ୍ଦର ଏହି ଦୁର୍ବଳତାକୁ ପ୍ରଥମଥର ପାଇଁ ପଦାରେ ପକାଇଥିଲା। ବନ୍ୟା ଯୋଗୁ ସେତେବେଳେ ଏୟାରପୋର୍ଟକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା। ବିମାନବନ୍ଦରର ଅତିରିକ୍ତ କ୍ଷତିକୁ ରୋକିବା ଏବଂ ଏହାର ଦୀର୍ଘକାଳୀନ ସ୍ଥାୟିତ୍ୱକୁ ଗ୍ୟାରେଣ୍ଟି ଦେବା ଦିଗରେ ସମ୍ପ୍ରତି ଇଞ୍ଜିନିୟରମାନେ କାର୍ଯ୍ୟ କରୁଛନ୍ତି। ଓସାକା ଉପସାଗରରେ ଜଳ ଚାପକୁ କମାଇବା ପାଇଁ ସମୁଦ୍ର ପାଚେରିକୁ ସୁଦୃଢ଼ କରିବା ଏବଂ ଭର୍ଟିକାଲ୍ ସ୍ୟାଣ୍ଡ୍ ଡ୍ରେନ୍ ତିଆରି ନିମନ୍ତେ ଜାପାନ ସରକାରଙ୍କ ପକ୍ଷରୁ ୧୫୦ ନିୟୁତ ଡଲାରରୁ ଅଧିକ ନିବେଶ କରାଯାଇଛି।
ତେବେ କେଆଇଏକ୍ସ ନିକଟରେ ଏକ ବିରଳ ରେକର୍ଡ ରହିଛି। ଦଶ ବର୍ଷରୁ ଅଧିକ ସମୟ ଧରି କୌଣସି ଲଗେଜ୍ ଏଠାରେ ହଜି ନ ଥିବାରୁ ୨୦୨୪ରେ ଏହି ଏୟାରପୋର୍ଟକୁ ବିଶ୍ୱର ସର୍ବୋତ୍ତମ ଲଗେଜ ପରିଚାଳନା ବିମାନବନ୍ଦର ଭାବେ ଘୋଷଣା କରାଯାଇଥିଲା। କେଆଇଏକ୍ସ ନିଜର କର୍ମଚାରୀ, ଦକ୍ଷତା ଏବଂ ସ୍ଥାପତ୍ୟ ଡିଜାଇନ୍ ପାଇଁ ପୂର୍ବରୁ ଅନେକବାର ଅନ୍ତର୍ଜାତୀୟ ସ୍ବୀକୃତି ଲାଭ କରିଛି। ୨୦୨୪ରେ ପ୍ରାୟ ୩୦.୬ ନିୟୁତ ଯାତ୍ରୀ ଏହି ଏୟାରପୋର୍ଟ ଯୋଗେ ୨୫ଟି ଦେଶର ୯୧ଟି ସହରକୁ ଯାତ୍ରା କରିଥିଲେ।


